୨୦ରେ ବିଜେପି ଅଧ୍ୟକ୍ଷ ହେବେ ଜେପି ନଡ୍ଡା!

ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆସନ୍ତା ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି। ଏହି ପଦ ପାଇଁ ୨୦ରେ ନାମାଙ୍କନ ପତ୍ର ଦାଖଲ ହେବ ଏବଂ ସେହିଦିନ ହିଁ ଭୋଟ୍ ହେବ। ସେ ନିର୍ଦ୍ୱନ୍ଦ୍ୱରେ ଏବଂ ସର୍ବସମ୍ମତି କ୍ରମେ ଏହି ପଦବୀ ପାଇଁ ଏକମାତ୍ର ବ୍ୟକ୍ତି ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ସେ ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସ୍ଥାନରେ ଏହି ଦାୟିତ୍ୱ ନେବେ। ଦଳର ସାଙ୍ଗଠନିକ ନିର୍ବାଚନ ଦାୟିତ୍ୱରେ ଥିବା ବରିଷ୍ଠ ବିଜେପି ନେତା ରାଧା ମୋହନ ସିଂହ ଏ ବିଷୟରେ ସୂଚନା ଦେଇଛନ୍ତି। ବିଜେପିର ୩୬ଟିରୁ ୨୧ଟି ୟୁନିଟ୍‌ରେ ନିର୍ବାଚନ ପ୍ରକ୍ରିୟା ସରିବା ପରେ ଏ ବିଷୟରେ ସୂଚନା ଦିଆଯାଇଛି।

ଗତ ବର୍ଷ ବିଜେପି ଲୋକସଭାରେ ବୃହତ ବିଜୟ ହାସଲ କରିବା ପରେ ଦଳର ବର୍ତ୍ତମାନର ଅଧ୍ୟକ୍ଷ ସ୍ୱରାଷ୍ଟ୍ର ମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି। ଏହାପରେ ଜୁଲାଇରେ ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବିଜେପିର ଦଳୀୟ ସମ୍ବିଧାନ ଅନୁଯାୟୀ, ଅଧା ସାଙ୍ଗଠନିକ ରାଜ୍ୟଗୁଡ଼ିକରେ ନିର୍ବାଚନ ସରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।

୨୦୧୯ ସାଧାରଣ ନିର୍ବାଚନରେ ନଡ୍ଡା ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ ଦାୟିତ୍ୱରେ ଥିଲେ। ଏଠାରେ ବିଜେପିକୁ କଡ଼ା ଟକ୍କରର ସାମ୍ନା କରିବାକୁ ପଡ଼ିଥିଲା। ଏସ୍‌ପି ଏବଂ ବିଏସ୍‌ପି ଏଠାରେ ମହାମେଣ୍ଟ କରିଥିଲେ ଏବଂ କଂଗ୍ରେସ ମଧ୍ୟ ପ୍ରିୟଙ୍କା ଗାନ୍ଧି ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦାୟିତ୍ୱ ଦେଇଥିଲା। ଏସବୁ ପରେ ମଧ୍ୟ ବିଜେପିକୁ ଉତ୍ତରପ୍ରଦେଶରେ ସଫଳତା ମିଳିଥିଲା। ବିଜେପି ମୋଟ ୮୦ ଆସନରୁ ୬୨ଟିରେ ବିଜୟ ହାସଲ କରିଥିଲା। ନଡ୍ଡା ଗତ ସରକାରରେ ମନ୍ତ୍ରୀ ଥିଲେ ଏବଂ ବର୍ତ୍ତମାନ ତାଙ୍କୁ ଦଳୀୟ ଦାୟିତ୍ୱ ଦିଆଯିବା ସହ ସଂସଦୀୟ କମିଟିରେ ରଖାଯାଇଛି।