୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଲେଫ୍ଟନାଣ୍ଟ୍ ଜେନେରାଲ ଜାକୋବଙ୍କ ପରଲୋକ

jacobନୂଆଦିଲ୍ଲୀ:  ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଲେଫ୍ଟନାଣ୍ଟ୍ ଜେନେରାଲ ଜେ.ଏଫ.ଆର୍ ଜାକୋବଙ୍କର ବୁଧବାର ସକାଳେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ହିଁ ୧୯୭୧ ମସିହା ଯୁଦ୍ଧରେ ପାକିସ୍ତାନ ସେନାକୁ ଆତ୍ମସମର୍ପଣ କରାଇଥିଲେ।

୧୯୨୩ରେ ଜନ୍ମ ଗ୍ରହଣ କରିଥିବା ଜାକୋବ ୧୯୭୧ରେ ପାକିସ୍ତାନ ବିରୋଧୀ ଯୁଦ୍ଧରେ ଭାରତକୁ ବିଜୟୀ କରାଇବା ଓ ବାଂଲାଦେଶକୁ ସ୍ୱାଧୀନତା ଦେବାରେ ନିଭାଇ ଥିଲେ ପ୍ରମୁଖ ଭୂମିକା। ଏହି ଯୁଦ୍ଧ ପରେ ସେ ହିରୋ ବନି ଯାଇଥିଲେ।  ସେ ସେତେବେଳେ ମେଜର ଜେନେରାଲ ଥିଲେ ଏବଂ ଭାରତୀୟ ସେନାର  ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ।

ବ୍ରିଟିଶ ଶାସନକାଳରେ ବେଙ୍ଗଲ୍ ପ୍ରେସିଡେନ୍ସୀରେ ଜନ୍ମ ଗ୍ରହଣ କରିଥିବା ଜାକୋବ ୧୯ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲଢ଼ିଥିଲେ। ୧୯୬୫ରେ ସେ ପାକିସ୍ତାନ ବିରୋଧୀ ଯୁଦ୍ଧ ମଧ୍ୟ ଲଢ଼ିଥିଲେ। ସେ ୧୯୭୮ରେ ଅବସର ଗ୍ରହଣ କରିଥିଲେ।

ଅବସର ପରେ ସେ ଗୋଆ ଓ ପଂଜାବର ରାଜ୍ୟପାଳ ହୋଇଥିଲେ।