୭ଟି ରେଳ ଷ୍ଟେସନ ସହ ୩ ଧର୍ମପୀଠ ଉଡ଼ାଇ ଦେବାକୁ ଧମକ

ଶ୍ରୀନଗର: ତୁରନ୍ତ ଅମରନାଥ ଯାତ୍ରା ବନ୍ଦ ନ କଲେ ଦେଶର ୭ଟି ବଡ଼ ରେଳ ଷ୍ଟେସନ ସହିତ ୩ ଟି ଧାର୍ମିକ ସ୍ଥଳକୁ ଉଡ଼ାଇ ଦେବାକୁ ଧମକ। ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ନାଁରେ ଏଭଳି ଏକ ଧମକପୂର୍ଣ୍ଣ ଚିଠି ଆସିଛି। ତସ୍‌ଲିମ ମୌଲବୀ ନାମକ ବ୍ୟକ୍ତି ଡାକ ଯୋଗେ ପଠାନକୋଟର ଭଡୋଲି ରେଳ ଷ୍ଟେସନ ଅଧିକ୍ଷକଙ୍କ ନିକଟକୁ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଛନ୍ତି।
ଚିଠିରେ ପଠାନକୋଟ, ଅମୃତସର, ଫିରୋଜପୁର, ଜମ୍ମୁ, ଯୋଧପୁର, ଜୟପୁର ଓ ବୋକାନେର ସହିତ ଅମୃତସର ସ୍ଥିତ ଶ୍ରୀ ହରିମନ୍ଦିର ସାହିବ, ଦୁର୍ଗିୟାନା ମନ୍ଦିର ଓ ଜମ୍ମୁର ରଘୁନାଥ ମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

ଖବର ଅନୁସାରେ ପଠାନକୋଟର ଭଡୋଲି ରେଳ ଷ୍ଟେସନ ଅଧିକ୍ଷକ ରାଜେଶ ଶହରିୟା ମଙ୍ଗଳବାର ସନ୍ଧ୍ୟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗୁରୁଦାସପୁର ଷ୍ଟେସନ ମାଷ୍ଟର ତାଙ୍କୁ ଏହି ଚିଠିଟି ଦେଇଥିଲେ। ଏହାପରେ ଶହରିୟା ସଙ୍ଗେ ସଙ୍ଗେ ରେଳବାଇ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ଡିଭିଜନ ନମ୍ବର ଏକର ସମସ୍ତ ରେଳ ଷ୍ଟେସନ ସମେତ ଧାର୍ମିକ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।