ଜାଲିକାଟୁ ପ୍ରସଙ୍ଗର ଶୁଣାଣି ସପ୍ତାହେ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଚେନ୍ନାଇ: ତାମିଲନାଡ଼ୁରେ ଜାଲିକାଟୁ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ସଂପର୍କିତ ଶୁଣାଣିକୁ ସୁପ୍ରିମକୋର୍ଟ ସପ୍ତାହେ ଘୁଞ୍ଚାଇ ଦେଇଛନ୍ତି। ଗତକାଲି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ।

ଏହା ତାମିଲନାଡୁ ବାସୀଙ୍କ ଭାବବେଗ ସହ ଜଡ଼ିତ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ସହ ଏହାର ପ୍ରଚଳନ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେପଟେ ଜାଲିକାଟୁ ଉପରେ ବ୍ୟାନ୍‌କୁ ବିରୋଧ କରି ଚେନ୍ନାଇର ମାରିନା ବିଚ୍‌ରେ ପ୍ରାୟ ୧୦ହଜାର ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ସପ୍ତାହେ ଘୁଞ୍ଚାଇ ଦେଇଛନ୍ତି। ଜାଲିକାଟୁ ସେମାନଙ୍କ ସଂସ୍କୃତି ସହ ଜଡିତ ଥିବାରୁ ଏହାକୁ ବନ୍ଦ ନ କରିବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି।

ଜାଲିକାଟୁ ଦ୍ୱାରା ଷଣ୍ଢଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାରୁ ଏହାକୁ ବନ୍ଦ କରିବାକୁ ପଶୁ ସୁରକ୍ଷା କର୍ମୀ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ପୋଙ୍ଗଲ ଅବସରରେ ତାମିଲନାଡୁରେ ଜାଲିକାଟୁ ଅନୁଷ୍ଠିତ ହୋଇଥାଏ।