ଜମ୍ମୁ ଓ କାଶ୍ମୀର: ଯବାନଙ୍କ ଗୁଳିରେ ୪ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିକଟସ୍ଥ ନୌଗାଁଓ ସେକ୍ଟରରେ ଆଜି ସକାଳେ ଯବାନଙ୍କ ସହ ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ଗୁଳି ଚଳାଇଥିଲେ। ତେବେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ରାଜ୍ୟର ବାରାମୂଲା ଜିଲ୍ଲାର ତଙ୍ଗମାର୍ଗ ଅଞ୍ଚଳରେ ମଧ୍ୟ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମଚାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେଠାରେ ସର୍ଚ୍ଚ ଅପରେସନ୍ ବେଳେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଯବାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।