ବାପାଙ୍କ ପରେ ଭାଇ ଦେଲେ ଚେତାବନୀ: ସହିଦ ଔରଙ୍ଗଜେବଙ୍କ ଭାଇ କହିଲେ ଏମିତି କିଛି

ସହିଦ ଯବାନ ଔରଙ୍ଗଜେବଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଶୀଘ୍ର ମାରିବାକୁ ଦାବି ବଢ଼ିବାରେ ଲାଗିଛି। ସହିଦ ଔରଙ୍ଗଜେବଙ୍କ ବାପାଙ୍କ ପରେ ଏବେ ତାଙ୍କ ଭାଇ ମୃତ୍ୟୁର ପ୍ରତିଶୋଧ ନିଜେ ନେବେ ବୋଲି କହିଛନ୍ତି। ତାଙ୍କ ବାପା ସରକାରଙ୍କୁ ୭୨ ଘଣ୍ଟାର ଡେଡ୍‌ଲାଇନ୍‌ ଦେଇଥିଲେ। ଏବେ ତାଙ୍କ ଭାଇ କହିଛନ୍ତି, “ଯଦି ସରକାର ପ୍ରତିଶୋଧ ନେବାରେ ବିଫଳ ହୁଅନ୍ତି, ତେବେ ମୁଁ ନିଜେ ସେମାନଙ୍କୁ ହତ୍ୟା କରିବି।”

ଜମ୍ମୁ: ସହିଦ ଔରଙ୍ଗଜେବଙ୍କ ଭାଇ ଏଏନ୍‌ଆଇକୁ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ୱାନ ଦେଉଛି, ଏହି ଘଟଣାରେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ମୋ ଭାଇଙ୍କ ହତ୍ୟା ପାଇଁ ଅତି କମରେ ୧୦୦ ଆତଙ୍କବାଦୀଙ୍କୁ ମରିବାକୁ ପଡ଼ିବ। ଯଦି ଆପଣ (ସରକାର) ଏମିତି କରିବାକୁ ସକ୍ଷମ ନହୁଅନ୍ତି, ତେବେ ମୋତେ କୁହ। ମୁଁ ନିଜେ ଏହାର ପ୍ରତିଶୋଧ ନେବି।”

ସୂଚନାଯୋଗ୍ୟ, ଔରଙ୍ଗଜେବ ଇଦ୍‌ ଛୁଟିରେ ଘରକୁ ଯାଉଥିବା ବେଳେ ବାଟରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ଏହାପରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଥିଲା। ପୁଲୱାମାର କଲାମପୁରରୁ ୧୦ କିମି ଦୂର ଜଙ୍ଗଲରୁ ତାଙ୍କ ମୃତଦେହ ପୋଲିସକୁ ମିଳିଥିଲା। ତାଙ୍କୁ ଏକାଧିକ ଗୁଳି ମରାଯାଇଥିଲା।

ପୂର୍ବରୁ ଔରଙ୍ଗଜେବଙ୍କ ବାପା ସରକାରଙ୍କୁ ୭୨ ଘଣ୍ଟାର ସମୟ ଦେଇ ପୁଅର ହତ୍ୟାକାରୀଙ୍କୁ ଖୋଜି ବାହାର କରି, କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଏପରି ନହେଲେ ମୁଁ ନିଜେ ମୋ ପୁଅ ହତ୍ୟାର ପ୍ରତିଶୋଧ ନେବି ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଥିଲେ।

ଗତକାଲି ନିଜ ଜନ୍ମମାଟିରେ ଔରଙ୍ଗଜେବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ହଜାର ହଜାର ଲୋକ ଏକାଠି ହୋଇଥିଲେ।