‘ଅପରେସନ୍‌ ଅଲ୍‌ ଆଉଟ୍‌’ ଆରମ୍ଭ: ଏବେ ସେନା ଆଗରେ ୩ଟି ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ:ପବିତ୍ର ରମଜାନ୍‌ ମାସ ଶେଷ ହେବା ସହ ଜମ୍ମୁ-କାଶ୍ମୀରରେ ଲାଗୁ ହୋଇଥିବା ଅସ୍ତ୍ରବିରତି ସମୟସୀମାର ପରିସମାପ୍ତି ଘଟିଛି। ରମଜାନଙ୍କୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୂରା ଏକ ମାସ ଅସ୍ତ୍ରବିରତି ଲାଗୁ କରାଯାଇଥିଲା। ଏହି ସମୟରେ ଯବାନମାନେ ସଞ୍ଜମତା ରକ୍ଷା କରିଥିଲେ। ଯାହାର ଫାଇଦା ଆତଙ୍କବାଦୀ ଉଠାଇଛନ୍ତି ଓ ଭିଆଇଛନ୍ତି ବହୁ ବର୍ବରକାଣ୍ଡ। ଅସ୍ତ୍ରବିରତି ସମୟ ସରିଥିବାରୁ ଆଜିଠାରୁ ସେନା ପୁଣି ‘ଅପରେସନ୍ ଅଲ୍‌ ଆଉଟ୍’ ଆରମ୍ଭ କରିଛି। ତେବେ ଗତକିଛି ଦିନ ହେବ ଘାଟିରେ ଯେଉଁ ସବୁ ପରିସ୍ଥିତି ଦେଖାଦେଇଛି ଏହାକୁ ଚ୍ୟାଲେଞ୍ଚ କରିବା ସେନା ପାଇଁ ଜଟିଳ ହୋଇପାରେ। ଆଗାମୀ ଦିନରେ ସେନା ପାଇଁ ତିନୋଟି ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।

ଅମରନାଥ ଯାତ୍ରାର ସୁରକ୍ଷା

ପବିତ୍ର ରମଜାନ୍‌ ସରିବା ପରେ ସେନା ଓ ସରକାର ପାଇଁ ଏବେ ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି ଶାନ୍ତିପୂର୍ଣ୍ଣ ଭାବେ ଅମରନାଥ ଯାତ୍ରା ସମାପ୍ତ କରିବା। ସବୁବେଳେ ଆତଙ୍କବାଦୀ ଟାର୍ଗେଟ୍‌ରେ ରହି ଆସିଛି ଅମରନାଥ ଯାତ୍ରା। ଜୁନ୍ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାରୁ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦର ପ୍ରାୟ ୪୫୦ ପାକିସ୍ତାନୀ ଆତଙ୍କବାଦୀ ସୀମା ପାର ହୋଇ ଅମରନାଥ ଯାତ୍ରାକୁ ଟାର୍ଗେଟ୍‌ କରିବାକୁ ସଜବାଜ ହେଉଛନ୍ତି।

ସାଧାରଣ ଲୋକଙ୍କ ସୁରକ୍ଷା

ପୂର୍ବରୁ ଆତଙ୍କବାଦୀମାନେ ଘାଟି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିଜର ଟାର୍ଗେଟ୍‌ କରୁଥିଲେ। ହେଲେ କିଛିଦିନ ହେବ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛନ୍ତି। ନିକଟରେ ସାମ୍ୱାଦିକ ସୁଜାତ ବୁଖାରୀ, ଯବାନ ଔରାଙ୍ଗଜେବଙ୍କୁ ହତ୍ୟା କରିଛନ୍ତି। ଏହାସହିତ ଗତ ରବିବାର ଜଣେ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିବା ସହ ବୋମା ଫିଙ୍ଗିଛନ୍ତି। ଆତଙ୍କବାଦୀଙ୍କ କବଳରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବା ସେନା ପାଇଁ ଚ୍ୟାଲେଞ୍ଚ ସୃଷ୍ଟି କରିବ।

ସୀମା ସୁରକ୍ଷା

ଜମ୍ମୁ-କାଶ୍ମୀରରେ ସେନା ପାଇଁ ଚ୍ୟାଲେଞ୍ଚ ବଢ଼ିବାରେ ଲାଗିଛି। ରାଜ୍ୟରେ ହେଉଥିବା ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବା ସହ ପାକିସ୍ତାନ ପକ୍ଷରୁ ହେଉଥିବା ଅସ୍ତ୍ରବିରତି ଉଲ୍ଲଂଘନକୁ ରୋକ ଲଗାଇବା। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। ଯାହା ସୀମା ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି। ସୀମାକୁ ସୁଦୃଢ଼ ରଖି ପାକିସ୍ତାନ ଓ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେବା ମଧ୍ୟ ସେନା ପାଇଁ ଚ୍ୟାଲେଞ୍ଜ ଭରା ରହିବ।