ଶେର-ଏ-କଶ୍ମୀର ଷ୍ଟାଡିୟମରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ସତ୍ୟପାଲ

ଶ୍ରୀନଗର: ଆସନ୍ତାକାଲି ସ୍ୱାଧୀନତା ଦିବସ ଉପଲକ୍ଷେ ଜମ୍ମୁ-କଶ୍ମୀରର ଶେର-ଏ-କଶ୍ମୀର ଷ୍ଟାଡିୟମରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଯୋଗଦେଇ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବେ। ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଶେଷ ହୋଇଥିବା ଜମ୍ମୁ-କଶ୍ମୀରର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କନସାଲ କହିଛନ୍ତି।

ଶ୍ରୀ କନସାଲ କହିଛନ୍ତି,”ଆସନ୍ତାକାଲି ସ୍ୱାଧୀନତା ଦିବସ ଜମ୍ମୁ-କଶ୍ମୀର ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକସ୍ତରରେ ପାଳନ କରାଯିବ। ତେବେ ସ୍ୱାଧୀନତା ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଶେର-ଏ-କଶ୍ମୀର ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ସବୁ ଜିଲ୍ଲାରେ ରିହର୍ସଲ ଶେଷ ହୋଇଛି। ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ କଟକଣା ଜାରି ହୋଇଛି। ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିଲେ ହେଁ ବଡ଼ଧରଣର ହିଂସାକାଣ୍ଡ କେଉଁଠି ବି ଘଟିନାହିଁ। ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।”