ଶିଶୁକନ୍ୟାକୁ ଜନ୍ମ ଦେଲେ ସେନା କ୍ୟାମ୍ପରେ ଆହତ ମହିଳା

ନୂଆଦିଲ୍ଲୀ: ସେନା କ୍ୟାମ୍ପରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ଚିନ୍ତା ଓ ଭୟର ବାତାବରଣ ଖେଳିଯାଇଛି। ଏହା ଭିତରେ ଆସିଛି ଏକ ଖୁସି ଖବର। ଏହି ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଜଣେ ଗର୍ଭବତୀ ମହିଲା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଅଶାନ୍ତ ବାତାବରଣ ମଧ୍ୟରେ ଜନ୍ମ ହୋଇଥିବା ଏହି ଅଗ୍ନିକନ୍ୟା ସମସ୍ତଙ୍କ ମୁହଁରେ ହସ ଖେଳାଇ ଦେଇଛି।

ଏକ ଗଣମାଧ୍ୟମ ଖବର ଅନୁସାରେ, ସଞ୍ଜୁୱାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ସମୟରେ ଜଣେ ଗର୍ଭବତୀ ମହିଳା ଆହତ ହୋଇଥିଲେ। ଏହାପରେ ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସି-ସେକ୍ସନ୍‌ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା।

ଏଥିପାଇଁ ମହିଳା ଜଣଙ୍କ ସେନାକୁ ଧନ୍ୟବାଦ ଜଣାଇଛନ୍ତି।

ମହିଳାଙ୍କୁ ଅପରେସନ୍ କରିଥିବା ଡାକ୍ତର କହିଛନ୍ତି, “ଏହା ରୁଟିନ୍ କେସ୍ ନଥିଲା। ଜଣେ ଡାକ୍ତର ଭାବେ ମୋର ଦାୟିତ୍ୱ ହେଉଛି ମହିଳା ଜଣଙ୍କ ସୁସ୍ଥ ପିଲା ଧରି ଘରକୁ ଫେରୁ। ଏହା ମୋ ପାଇଁ ଓ ଆମ ହସ୍ପିଟାଲ ଟିମ୍ ପାଇଁ ଖୁସିର ଅବସର।”

ଗତ ଶନିବାର ଜମ୍ମୁର ସଞ୍ଜୁୱାନ ସେନା କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାସହିତ ୫ ଜଣ ଯବାନ ସହିଦ ହେବା ସହ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା।