ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ଜଣେ ଏସ୍‌ଓଜି ଯବାନ ସହିଦ, ୫ ସିଆର୍‌ପିଏଫ୍ ଯବାନ ଆହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ସ୍ଥିତ ଜିଲ୍ଲା ପୋଲିସ୍ କଲୋନୀରେ ଆଜି ସକାଳେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।  ଏଥିରେ ଜଣେ ସ୍ପେଶାଲ୍‌ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି) ଯବାନ ସହିଦ ହୋଇଛନ୍ତି। ଏଥିରେ ୫ ଜଣ ସିଆରପିଏଫ୍‌ ଯବାନଙ୍କ ସମେତ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।

ସ୍ଥାନୀୟ ପୋଲିସ୍ କହିଛି,“ଆକ୍ରମଣ ପୂର୍ବରୁ ଦୁଇରୁ ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ପୋଲିସ୍‌ କଲୋନୀ ଅଞ୍ଚଳରେ ବୁଲୁ ଥିବା ଦେଖିବାକୁ ମିଳିଥିଲା। ଏହାପରେ ସୁଯୋଗ ପାଇବା ମାତ୍ରେ  ସେମାନେ ସିଆରପିଏଫ୍ ଯବାନ ଓ ପୋଲିସ୍‌ ଉପରକୁ ଗୁଳି କରିଥିଲେ। ଏହି ଆକ୍ରମଣରେ ୫ ଜଣ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ଜଣେ ଏସ୍‌ଓଜି ଯବାନ ପ୍ରାଣ ହରାଇଛନ୍ତି।”

ଖବର ଲେଖାଯିବା ସୁଦ୍ଧା ଆକ୍ରମଣକାରୀ ମାନେ ପୋଲିସ୍‌ କଲୋନୀରେ ଥିବା ଏକ ବିଲ୍ଡିଂରେ ଲୁଚି ରହିଥିବା ଜଣାପଡ଼ିଛି।। ସିଆରପିଏଫ୍ ଓ ପୋଲିସ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି।