ଆତଙ୍କବାଦୀଙ୍କ ଉପରେ କଠୋର ହେବ ଭାରତ: ପରିବାରକୁ ଦିଆଯିବ ନାହିଁ ଶବ

ଶ୍ରୀନଗର: ଆତଙ୍କବାଦୀଙ୍କ ଉପରେ ଆହୁରି କଠୋର ହେବ ଭାରତ। ଏଣିକି ଯବାନଙ୍କ ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବକୁ ସେମାନଙ୍କ ପରିବାରକୁ ଦିଆଯିବ ନାହିଁ। ସେମାନଙ୍କ ଶବକୁ ଏକ ଅଜଣା ଜାଗାରେ ପୋତି ଦିଆଯିବ। ଖୁବ୍‌ଶୀଘ୍ର ଶବ ଫେରସ୍ତର ଏହି ପରମ୍ପରାକୁ ବନ୍ଦ କରିବା ପାଇଁ ବିଚାର କରାଯାଉଛି। ସ୍ଥାନୀୟ ଯୁବବର୍ଗ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେଉଥିବା ଧାରାକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶୁଣିବାକୁ ମିଳୁଛି।

ଖବର ଅନୁସାରେ ଲସ୍କର ଓ ହିଜ୍‌ବୁଲ୍‌ ଆତଙ୍କବାଦୀ ସଙ୍ଗଠନର କୌଣସି ଟପ୍‌ କମାଣ୍ଡର ସେନା ଅପରେସନରେ ନିହତ ହେଲେ ସେମାନଙ୍କ ଶବ ଶୋଭାଯାତ୍ରାରେ ବହୁ ସଂଖ୍ୟାର ସ୍ଥାନୀୟ ଯୁବକ ସାମିଲ୍‌ ହେଉଛନ୍ତି। ଫଳରେ ଆତଙ୍କବାଦୀ କମାଣ୍ଡରମାନେ ସେମାଆନଙ୍କ ବ୍ରେନ୍‌ ୱାସ୍‌ କରି ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ କରାଉଛନ୍ତି।ଖାଲି ସେତିକି ନୁହେଁ, ହ୍ୱାଟ୍‌ସଆପ୍‌ରେ ବି ମୃତ କମାଣ୍ଡର ଫଟୋ ଦେଇ ଯୁବବର୍ଗଙ୍କୁ ଉସ୍‌କା ଯାଉଛି। ନିକଟରେ ଗୁଇନ୍ଦା ବିଭାଗ ଭାରତ ସରକାରଙ୍କୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିଥିଲେ।

ଯଦି ଆତଙ୍କବାଦୀ ସଙ୍ଗଠନରେ ଯୁବବର୍ଗ ସାମିଲ୍‌ ହେଉଥିବା ତାଲିକା ଉପରେ ନଜର ପକାଯାଏ, ତେବେ ୨୦୧୮ରେ ବିଭିନ୍ନ ଆତଙ୍କବାଦୀ ସଙ୍ଗଠନରେ ୮୦ ଜଣ ଯୁବକ ସାମିଲ୍‌ ହୋଇଛନ୍ତି। ସେହିଭଳି ୨୦୧୭ରେ ଜାମ୍ମୁ-କାଶ୍ମୀରରେ ମୋଟ ୧୨୬ ଜଣ ଯୁବକ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହୋଇଥିଲେ। ବର୍ତ୍ତମାନର ତଥ୍ୟାନୁସାରେ ୨୦୧୦ ମସିହାଠାରୁ ଯୁବବର୍ଗ ଅଧିକ ମାତ୍ରାରେ ଆତଙ୍କବାଦୀ ସଙ୍ଗଠନରେ ସାମିଲ୍‌ ହେଉଥିବା ଜଣାପଡ଼ିଛି।