ଜମ୍ମୁକାଶ୍ମୀର: ସିଆରପିଏଫ ଯବାନଙ୍କ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୬ ଗୁରୁତର

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଥିବା ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅନନ୍ତନାଗ ଜିଲ୍ଲା ଦେଇ ଯାଇଥିବା ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ନିକଟରେ ଏହି ଘଟଣା ଘଟିଛି। ଏଠାର ଥିବା ଏକ ସୁଡଙ୍ଗ ନିକଟରେ ସିଆରପିଏଫର ବସ ଯାଉଥିବା ବେଳେ କିଛି ଅଜଣା ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଅନନ୍ତନାଗର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳରେ ତନାଘନା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।