ଜାନୁଆରୀ ୧୫ରେ ଇସଲାମବାଦରେ ଭାରତ-ପାକ୍ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଜାନୁଆରୀ ୧୫ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଇସଲାମବାଦରେ ଏହି ଆଲୋଚନା ଅନୁଷ୍ଠିତ ହେବ। ଏଥିପାଇଁ ଭାରତର ବୈଦେଶିକ ସଚିବ ଏସ୍ ଜୟଶଙ୍କର ଜାନୁଆରୀ ୧୫ରେ ଇସଲାମବାଦ ଗସ୍ତ କରିବେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ପାକିସ୍ତାନ ଗସ୍ତ କରିବା ପରେ ବିଶେଷ ସୂତ୍ରୁରୁ ଏହି ସୂଚନା ମିଳିଛି। ତେବେ ଏନେଇ ଏଯାବତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।

ଗତକାଲି ଆଫଗାନିସ୍ତାରୁ ଫେରିବା ବାଟରେ ପ୍ରଧାନମନ୍ତ୍ରୀ ମୋଦି ଲାହୋରରେ ଓହ୍ଲାଇ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମସ୍ତଙ୍କୁ ଚକିତ କରିଥିଲା। କାରଣ ଏନେଇ ପୂର୍ବରୁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ନ ଥିଲା। ଦୁଇ ଦିନିଆ ରୁଷ ଗସ୍ତ କରି ମୋଦି ଗତକାଲି ଭୋରରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପହଞ୍ଚିଥିଲେ। ସେଠାରେ ଆଫଗାନିସ୍ତାନର ନବନିର୍ମିତ ସଂସଦ ସୌଧକୁ ସେ ଉଦଘାଟନ କରିବା ସହିତ ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥିଲେ। କାବୁଲରେ ଥିବା ବେଳେ ସେ ଦିନ ପ୍ରାୟ ୧୧ଟା ବେଳେ ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଫୋନ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଏହି ବାର୍ତ୍ତାଳପ ବେଳେ ସରିଫ ତାଙ୍କୁ ଭାରତ ଫେରିବା ବାଟରେ ପାକିସ୍ତାନରେ ଅଟକିବାକୁ ଅନୁରୋଧ କରିଥିଲେ। ଏହି ନିମନ୍ତ୍ରଣକୁ ମୋଦି ଗ୍ରହଣ କରିଥିଲେ। ସାରା ବିଶ୍ୱ ମୋଦିଙ୍କ ଏହି ଅଚାନକ ଗସ୍ତକୁ ପ୍ରଶଂସା କରିଥିଲା।