୩ ମିନିଟ୍‌ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ଚାଲିଯିବାରୁ ମିଳିଲା ଏମିତି ଦଣ୍ଡ

ଟୋକିଓ: ସରକାରୀ ହେଉ ଅବା ବେସରକାରୀ ସବୁ ଅଫିସ୍‌ରେ କିଛି ନୀତି ନିୟମ ରହିଥାଏ। କର୍ମଚାରୀମାନଙ୍କୁ ସେସବୁକୁ ମାନିବାକୁ ହୁଏ। ଅଫିସର ନୀତି ନିୟମ ନମାନିଲେ ଅନେକ ସମୟରେ କର୍ମଚାରୀମାନଙ୍କୁ ଦଣ୍ଡିତ କରାଯାଏ। ଏହାର ଅନେକ ନଜିର ରହିଛି। ସେମିତି ଏକ ଘଟଣା ଘଟିଛି ଜାପାନରେ। ଅଫିସ୍‌ ନିୟମ ଭାଙ୍ଗିବାରୁ ଜଣେ ବ୍ୟକ୍ତିକୁ ଦଣ୍ଡିତ କରାଯାଇଛି। ତାଙ୍କର ଭୁଲ୍‌ ଏତିକି ଥିଲା ଯେ, ସେ ନିର୍ଦ୍ଧାରିତ ସମୟର ୩ମିନିଟ୍‌ ପୂର୍ବରୁ ମଧ୍ୟାହ୍ନ ଭୋଜନ କରିବାପାଇଁ ଚୌକି ଛାଡ଼ି ଚାଲିଯାଇଥିଲେ। ଦଣ୍ଡ ସୂରୁପ ତାଙ୍କୁ ଗୋଟିଏ ଦିନରେ ଯେତିକି ଦରମା ମିଳେ ସେଥିରୁ ଅଧା କାଟି ଦିଆଯାଇଛି।

ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଜାପାନର ୱାଟରୱାର୍କସ୍ ବ୍ୟୁରରେ କାମ କରନ୍ତି। ସେହି ଅଫିସ୍‌ରେ ଲଞ୍ଚ ବ୍ରେକ୍ ମଧ୍ୟାହ୍ନ ୧ଟାରୁ ଆରମ୍ଭ ହୁଏ। କିନ୍ତୁ ବ୍ୟକ୍ତି ଜଣଙ୍କ ୧୨.୫୭ରେ ଖାଇବା ପାଇଁ ଉଠି ଚାଲିଯିବା ଦେଖି ବସ୍‌ ରାଗି ଯାଇଥିଲେ। ଏ ଭୁଲ୍‌ ପାଇଁ ତାଙ୍କୁ ଦଣ୍ଡ ଦେବାକୁ ସେ ମିଟିଂ ଡକାଇଥିଲେ। ମିଟିଂରେ ସେ ଉକ୍ତ ବ୍ୟକ୍ତିଙ୍କର ଅଧା ଦିନର ଦରମା କଟା ଯିବ ବୋଲି କହିବା ସହ ଏ ଭୁଲ୍ ପାଇଁ କ୍ଷମା ମାଗିବାକୁ ତାଙ୍କୁ କହିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ କ୍ଷମା ମାଗିଥିଲେ। ସେ କହିଥିଲେ, “ଯାହା କିଛି ବି ହେଲା ଭୁଲ୍‌ ହେଲା ଏବଂ ଏଥିପାଇଁ ମୁଁ ଲଜ୍ଜିତ।”

ଏବେ ସୋସିଆଲ୍‌ ମିଡିଆରେ ଏ ଖବର ଭାଇରାଲ ହେଉଛି। ଲୋକମାନେ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି। କିଛି ଲୋକ ଏହି ପୋଷ୍ଟ ପଢ଼ି ଅଫିସ୍‌ରେ ଧୂମପାନ କରିବା ପାଇଁ କେତେ ସମୟ ମିଳିବା ଦରକାର ବୋଲି ପଚାରିଥିବା ବେଳେ ଆଉ କିଛି ଲୋକ କ’ଣ କାମ କରିବା ସମୟରେ କେହି ବାଥରୁମ୍‌ ବି ଯାଇ ପାରିବେନି ବୋଲି ପ୍ରଶ୍ନ କରିଛନ୍ତି।