ପୁଣି ସୀମା ଲଙ୍ଘିଲା ପାକିସ୍ତାନ, ଗୁଳିମାଡ଼ରେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲଙ୍ଘନ କରି ଚାଲିଛି। ଆଜି ସକାଳ ୧୧ଟାରେ ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅବିଶ୍ରାନ୍ତ ଗୁଳିମାଡ଼ କରିଥିଲା। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଦିନ ୧୧ଟାରେ ପୁଞ୍ଚ ଜିଲ୍ଲା ଅନ୍ତର୍ଗତ କ୍ରୀଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା। ପାକ ସେନା ପକ୍ଷରୁ ସ୍ୱଂୟ ଚାଳିତ ବନ୍ଧୁକ ଓ ମୋର୍ଟାର ଦ୍ୱାରା ଭାରତୀୟ ଆଉଟପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ଏଥିରେ ୫ ଜଣ ଭାରତୀୟ ଯବାନ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ଭାରତ ପକ୍ଷରୁ ପାକିସ୍ତାନର ଏଭଳି ଆକ୍ରମଣର ଦୃଢ଼ ଜବାବ ଦିଆଯାଇଛି।