କୋବିନ୍ଦଙ୍କୁ ସମର୍ଥନ ଦେଲେ ନୀତିଶ :ଲାଲୁ କହିଲେ ମୁଁ ଏକମତ ନୁହେଁ, ରୋଚକ ମୋଡ୍‌ରେ ବିହାର ରାଜନୀତି

ନୂଆଦିଲ୍ଲୀ:ରାଷ୍ଟ୍ରପତି ପାଇଁ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଛି ଜେଡିୟୁ। ଜେଡି(ୟୁ) ପକ୍ଷରୁ ଆଜି ସନ୍ଧ୍ୟାରେ ଆନୁଷ୍ଠାନିକଭାବେ ଘୋଷଣା କରାଯାଇଛି । ଜେଡିୟୁର ସର୍ବସମ୍ମତ୍ତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା। ଆଜି ନୀତିଶ କୁମାରଙ୍କ ନେତୃତ୍ୱରେ ଦଳର ବରିଷ୍ଟ ନେତା ଶରଦ ଯାଦବ ଏବଂ ଅନ୍ୟ ନେତାଙ୍କୁ ନେଇ ବୈଠକ ହୋଇଥିଲା। ବୈଠକରେ ସର୍ବସମ୍ମତ୍ତି କ୍ରମେ ଏନଡିଏ ପ୍ରାର୍ଥୀ କୋବିନ୍ଦଙ୍କୁ ସମର୍ଥନ ପାଇଁ ନିଷ୍ପତ୍ତି ହୋଇଥିଲା।

ସେପଟେ ଜେଡିୟୁର ଏହି ନିର୍ଣ୍ଣୟରେ ଆରଜେଡି  ଏବଂ କଂଗ୍ରେସ ଖୁସି ନୁହଁନ୍ତି। ବିହାରରେ ଜେଡିୟୁ, କଂଗ୍ରେସ ଏବଂ ଆରଜେଡିର ମିଳିତ ସରକାର ରହିଛି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ବିରୋଧୀ ସପକ୍ଷରେ ଯିବେ ବୋଲି ଜଣାପଡ଼ିଛି। ସେପଟେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ସବୁ ବିରୋଧୀଦଳ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯାହା ନିଷ୍ପତ୍ତି ହେବ ତାହାକୁ  ଆରଜେଡି ମାନିନେବ ବୋଲି ଦଳ ପକ୍ଷରୁ କୁହାଯାଇଛି।  ଏସବୁକୁ ନେଇ ବିହାର ରାଜନୀତି ରୋଚକ ମୋଡ୍‌ରେ ପହଞ୍ଚିଛି। ଏବେ ଜେଡି(ୟୁ), ଆର୍‌ଜେଡି ଏବଂ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି।