ଅଣ୍ଡର ୱାଟର ହମ୍‌ଲା ପାଇଁ ଜୈଶର ମସୁଧା!

ନୂଆଦିଲ୍ଲୀ: ପାକିସ୍ତାନରେ ସକ୍ରିୟ ଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ନୂଆ ଧରଣର ହମ୍‌ଲା ପାଇଁ ମସୁଧା କରୁଛି। ସ୍ଥଳ ଭାଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବାରୁ ଜଳ ପଥ ବା ଅଣ୍ଡର ୱାଟର ଜରିଆରେ ଆକ୍ରମଣ ପାଇଁ ଜୈଶ ପକ୍ଷରୁ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଏ ସମ୍ପର୍କରେ ଗୁଇନ୍ଦା ବିଭାଗ ସୂଚନା ଦେଇଥିବା ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ କହିଛନ୍ତି। ସେ କହିଛନ୍ତି, “ଜୈଶ ଏବେ ଭାରତ ଉପରେ ବଡ଼ ଧରଣର ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ଏଥିପାଇଁ ଜୈଶ ଏକ ଅଣ୍ଡର ୱାଟର ୱିଙ୍ଗ ଗଠନ କରିଛି। ଏହି ୱିଙ୍ଗରେ ସାମିଲ ଥିବା ଆତଙ୍କବାଦୀଙ୍କୁ ଜଳପଥରେ ଆକ୍ରମଣ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଉଛି।

ହେଲେ ଆତଙ୍କବାଦୀଙ୍କ ସବୁ ପ୍ରକାରର ଯୋଜନାକୁ ମୁକାବିଲା ଲାଗି ନୌସେନା ଆଲର୍ଟ ରହିଛି। ନୌସେନାର ଯବାନମାନେ ସମସ୍ତ ଜଳପଥ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଜଳପଥରେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ଆମେ ପ୍ରସ୍ତୁତ ରହିଛୁ।”

୨୦୦୮ ନଭେମ୍ବର ୨୬ରେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତୋଏବାର ୧୦ ଜଣ ଆତଙ୍କବାଦୀ ଜଳପଥରେ ଭାରତରେ ପ୍ରବେଶ କରିଥିଲେ। ଏହାପରେ ସେମାନେ ମୁମ୍ବାଇରେ ନରସଂହାର କରିଥିଲେ। କିନ୍ତୁ ଏଥର ଜୈଶ ସଂଗଠନ ଅନୁରୂପ ଆକ୍ରମଣ କରିବାକୁ ଯୋଜନା କରୁଥିବା କୁହାଯାଉଛି।

ଏହା ପୂର୍ବରୁ ଜୈଶ ପକ୍ଷରୁ ଚଳିତ ବର୍ଷ ଫେବୃଆରୀ ୧୪ରେ କଶ୍ମୀରର ପୁଲୱାମା ଠାରେ ଆତ୍ମଘାତୀ ହମ୍ଲା କରାଯାଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ।