ଏୟାରପୋର୍ଟରେ ଦେବଦୂତ ସାଜିଲେ ଏୟାରହୋଷ୍ଟେସ : ମୃତ୍ୟୁମୁଖରୁ ୧୦ ମାସ ଶିଶୁକୁ ବଞ୍ଚାଇଦେଲେ

ମୁମ୍ବାଇ: ଏୟାରପୋର୍ଟରେ ଦେବଦୂତ ସାଜିଲେ ଏୟାରହୋଷ୍ଟେସ। ଜଣେ ୧୦ ମାସର ଶିଶୁକୁ ମୃତ୍ୟୁମୁଖରୁ ବଞ୍ଚାଇଦେଇ ମାନବିକତାର ମହାନ ପରିଚୟ ଦେଇଛନ୍ତି ଏୟାରହୋଷ୍ଟେସ। ନିଜ କ୍ୟାରିୟର ପ୍ରତି ଧ୍ୟାନ ନଦେଇ ବିପଦକୁ ଡେଇଁ ସମ୍ପୃକ୍ତ ଏୟାରହୋଷ୍ଟେସ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଏମିତି ଏକ ଘଟଣା ମୁମ୍ବାଇ ଏୟାରପୋର୍ଟରେ ଘଟିଛି। ପିଲାଟିକୁ ବଞ୍ଚାଇଦେଇଥିବା ଏୟାରହୋଷ୍ଟେସକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ହେଉଛି।

ସୂଚନା ଅନୁଯାୟୀ ଜଣେ ମହିଳା ତାଙ୍କ ୧୦ ମାସର ଶିଶୁକୁ  ନେଇ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ଅହମ୍ମଦାବାଦ ଯିବାର ଥିଲା। ଚେକ୍‌ ଇନ୍‌ ପରେ ସୁରକ୍ଷା ଯାଞ୍ଚ ପାଇଁ ସେ କାଉଣ୍ଟରକୁ ଯାଉଥିବା ବେଳେ ହଠାତ୍ ତାଙ୍କ ହାତରୁ ଛୁଆଟି ଖସିପଡ଼ିଥିଲା। ଠିକ୍ ସେତିକିବେଳେ ସେଠାରେ ଥିବା ମିତାଂସୀ ବିଦ୍ୟା ନାମକ ଜଣେ ଏୟାର ହୋଷ୍ଟେସ୍ ପିଲାଟିକୁ ତଳୁ ପଡ଼ିବାରୁ ବଞ୍ଚାଇ ଦେଇଥିଲେ। ପିଲାର ମା’ ଗୁଲଫା ଶେଖ୍‌ ମିତାଂସୀର ଖୁବ୍ ତାରିଫ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପିଲାଟିକୁ ବଞ୍ଚାଉଥିବା ସମୟରେ ମିତାଂସୀଙ୍କ ନାକରେ ଆଘାତ ଲାଗିଥିଲା।

ହୁଏତ ସେହି ଆଘାତ ଚିହ୍ନ ମିତାଂସୀଙ୍କ ନାକରେ ସବୁଦିନ ପାଇଁ ରହିଯାଇପାରେ। ଜଣେ ଏୟାର ହୋଷ୍ଟେସ ପାଇଁ ତାଙ୍କ ଚେହେରା କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ତ’ ଆପଣମାନେ ଅବଗତ ଥିବେ। ହେଲେ ମିତାଂସୀ ଏହାକୁ ଖାତିର ନ କରି ପିଲାଟିକୁ ବଞ୍ଚାଇ ଦେଇ ଥିଲେ। ଶିଶୁଟିକୁ ରକ୍ଷା କରି ମିତାଂସୀ ଜଣେ ମା’ର କୋଳକୁ ଶୂନ୍ୟ ହେବାରୁ ରକ୍ଷା କରିଦେଇଛନ୍ତି। ପିଲାଟିର ମା’ ଗୁଲଫା ଶେଖ୍ ଏୟାରବେଜକୁ ଏକ ଚିଠି ଲେଖି ମିତାଂସୀକୁ ଧନ୍ୟବାଦ ଜଣାଇବା ସହ ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି।  ଗୁଲଫା କହିଛନ୍ତି ଯେ, ସେ ମିତାଂସୀକୁ ତାଙ୍କ ମୋବାଇଲ ନମ୍ବର ମାଗିଥିଲେ।  ହେଲେ କମ୍ପାନୀର କିଛି ନୀତିନିୟମ କାରଣରୁ ସେ ନମ୍ବର ଦେଇ ନ ଥିଲେ। ଗୁଲଫା କହିଛନ୍ତି ଯେ, ବିବାହର ୧୪ ବର୍ଷ ପରେ ତାଙ୍କର ପିଲାଟିଏ ହୋଇଛି। ତେଣୁ ତା’ର ଜୀବନ ବଞ୍ଚାଇ ମିତାଂସୀ ବଡ଼ କୃପା କରିଛନ୍ତି। ତେଣୁ  ମୀତାଂସୀଙ୍କୁ ସେ କିଛି ଉପହାର ଦେବାକୁ ଚାହୁଁଥିଲେ। ହେଲେ ମିତାଂସୀ ମନା କରିଦେଇଥିଲେ ଓ କେବଳ ଆଶୀର୍ବାଦ ମାଗିଥିଲେ। ଏଥିରୁ ଜଣାପଡ଼ୁଛି ମିତାଂସୀଙ୍କ ହୃଦୟ କେତେ ଉଦାର।