ମୁସଲିମ ବିଧାୟକଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କଲେ ଝାରଖଣ୍ଡ ମନ୍ତ୍ରୀ

ରାଞ୍ଚି: ଝାରଖଣ୍ଡ ସରକାରରେ ଥିବା ଜଣେ ମନ୍ତ୍ରୀ କ୍ୟାମେରା ସମ୍ମୁଖରେ, ତା’ପୁଣି ବିଧାନସଭା ବାହାରେ କଂଗ୍ରେସର ମୁସଲିମ ବିଧାୟକଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ବିଜେପି ବିଧାୟକ ତଥା ମନ୍ତ୍ରୀ ସିପି ସିଂହ ବିଧାନସଭା ବାହାରେ କଂଗ୍ରେସ ବିଧାୟକ ଇରଫାନ ଅନସାରୀଙ୍କ ହାତ ଧରିଥିଲେ।
ଏଥିସହ ତାଙ୍କୁ ଜୋରରେ ଜୟ ଶ୍ରୀରାମ ନାରା ଦେବାକୁ କହିଥିଲେ। ଏହାଦ୍ୱାରା ଇରଫାନ୍‌ ରାମ ୱାଲେ ନା ବାବର ୱାଲେ ବୋଲି ପ୍ରମାଣିତ ହୋଇଯିବ। ମୁଁ ଆପଣଙ୍କୁ ଡରାଇବା ପାଇଁ ଏମିତି କହୁନାହିଁ, ବୋଲି ସିପି ସିଂହ କହିଥିଲେ।

ଏହାର ଜବାବ ଦେଇ ଇରଫାନ କହିଥିଲେ, “ଆପଣମାନେ କେବଳ ରାମଙ୍କ ନାଁ ନେଇ ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ଏବେ ପାଣି, ଆଲୁଅ ଓ ଡ୍ରେନେଜ ବ୍ୟବସ୍ଥାକୁ ସୁଧାରିବା ପାଇଁ ସମୟ ଆସିଛି। ହେଲେ ଆପଣମାନେ କେବଳ ଜୟ ଶ୍ରୀରାମରେ ଅଟକି ଯାଇଛନ୍ତି। ଏହା ଠିକ୍‌ ନୁହେଁ।”

ସିପି ସିଂହ ଝାରଖଣ୍ଡ ସରକାରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।