ବିହାର: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝିଙ୍କ ଝିଅ ବିରୋଧରେ ହତ୍ୟା ଅଭିଯୋଗ

ଗୟା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ୍ ରାମ୍ ମାଂଝିଙ୍କ ଝିଅ ସୁନେନା ଦେବୀଙ୍କ ବିରୋଧରେ ଆସିଛି ହତ୍ୟା ଅଭିଯୋଗ। ସୁନେନା ନିଜ ବୋହୂକୁ ହତ୍ୟା କରି ଶବକୁ କେଉଁଠାରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ପରିବାରବର୍ଗ ଗୟାର ଡେହ୍ଲା ଥାନାରେ ଏ ନେଇ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଛି।

୨୦୦୮ ମାର୍ଚ୍ଚରେ ସୁନେନା ଦେବୀଙ୍କ ପୁଅ ବିକି ଜହାନାବାଦର ସୁଗାବ ନିବାସୀ ରାମଦେବ ମାଂଝିଙ୍କ ଝିଅ ସୋନିଙ୍କ ସହ ବିବାହ କରିଥିଲେ। ଏତଲାରେ ମୃତା ସୋନିଙ୍କ ପରିବାର ପକ୍ଷରୁ ଉଲ୍ଲେଖ କରାଯାଇଛି, ଶାଶୂ ସୁନେନା ଦେବୀ, ଶଶୁର ଯୋଗେନ୍ଦ୍ର ପ୍ରସାଦ, ସ୍ୱାମୀ ବିକି କୁମାର, ଓ ଦିଅର ଗୁଡୁ କୁମାର ସୋନିକୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି।

ସୋନିଙ୍କ ବାପା ରାମଦେବ କହିଛନ୍ତି, ରବିବାର ସକାଳ ପ୍ରାୟ ସାଢେ ୮ଟାରେ ସୁନେନାଙ୍କ ସ୍ୱାମୀ ଯୋଗେନ୍ଦ୍ର ତାଙ୍କୁ ଫୋନ୍ କରି ଡ଼ାକିଥିଲେ। ରାମଦେବ ଯୋଗେନ୍ଦ୍ରଙ୍କ ଘରେ ପହଞ୍ଚିବା ପରେ  ଏକ କାରରେ ବସି ତାଙ୍କୁ ଜହାନାବଦର ଶୂନଶାନ୍ ସ୍ଥାନକୁ ନିଆଯାଇ ତାଙ୍କ ଝିଅ ମରି ଯାଇଥିବା କୁହାଯାଇଥିଲା। ବାହାଘରର କିଛି ମାସ ପରେ ଶାଶୁଘର ଲୋକ ଟଙ୍କା ଦାବି କରୁଥିବା ଝିଅର ବାପା ଅଭିଯୋଗ କରିଛନ୍ତି। ଯୌତୁକ ଦେଇ ପାରି ନ ଥିବାରୁ ଝିଅକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି।