ଶ୍ରୀନଗରରେ ପୋଲିସ୍‌ ବସ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ସହିଦ

ଶ୍ରୀନଗର (ଓଡ଼ିଶା ରିପୋର୍ଟର): ଶ୍ରୀନଗରର ପନ୍ଥାଚୌକ୍‌ରେ ଆତଙ୍କବାଦୀମାନେ ପୋଲିସ୍‌ର ଏକ ପାଟ୍ରୋଲିଂ ବସ୍‌କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ବସ୍‌ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଲଶ୍କର-ଏ-ତୋଏବାର ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

ଆକ୍ରମଣ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି। ନିକଟରେ ଥିବା ପୋଲିସ୍‌ କ୍ୟାମ୍ପରୁ ସେନା ଓ ପୋଲିସ୍‌ର ଏକ ଟିମ୍‌ ଘଟଣା ସ୍ଥଳକୁ ଯାଇଛନ୍ତି। ଏହା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଧାଁଦୌଡ ଆରମ୍ଭ ହୋଇଯାଇଥିଲା।

ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ନିକଟରେ କୌଣସି ଘରେ ଲୁଛି ଥିବା ଅନୁମାନ କରାଯାଉଛି।