ହକ ପାଇଁ ଲଢ଼େଇ କରୁଥିବା ଜେଏନୟୁ ବିଦ୍ୟାର୍ଥୀଙ୍କ ବିରୋଧରେ ପୁଲିସ୍‌ ଏଫଆଇଆର

ନୂଆଦିଲ୍ଲୀ: ଦେଶର ପ୍ରଖ୍ୟାତ ଜବାହର ଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ହଷ୍ଟେଲ ଫି’ ଓ ଅନ୍ୟାନ୍ୟ ଫି’ ବୃଦ୍ଧି ବିରୋଧରେ ଲଢ଼େଇ କରୁଥିବା ଛାତ୍ରଛାତ୍ରୀଙ୍କ ନାଁରେ ଆଜି ଦିଲ୍ଲୀ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ଗତକାଲି ହଜାର ହଜାର ସଂଖ୍ୟକ ଛାତ୍ରଛାତ୍ରୀ ସଂସଦ ଅଭିମୁଖେ ବିଶାଳ ରାଲିରେ ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏପରି କି ପୁଲିସ୍‌ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା।

ଆଜି ପୁଲିସ୍‌ ଏନେଇ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। କିଷନ ଘର ପୁଲିସ୍‌ ଷ୍ଟେସନରେ ଧାରା ୧୮୬ ଓ ୩୫୩ ଆଧାରରେ ମାମଲା ରୁଜୁ କରାଯାଇଛି। ଗତକାଲି ଜୋର ବାଗ ନିକଟ ସଫଦରଜଙ୍ଗ ଟୋମ୍ବରେ ପୁଲିସ୍‌ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ କରିଥିଲେ ହେଁ ଆଜି ପୁଲିସ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗତକାଲିର ସଂଘର୍ଷରେ ୩୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଓ ୨୦ରୁ ଅଧିକ ବିଦ୍ୟାର୍ଥୀ ଆହତ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଆଜି ମଧ୍ୟ ଜେଏନ୍‌ୟୁର ଛାତ୍ରଛାତ୍ରୀମାନା ଫି’ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ନେଇ ଆଜି ରାଜ୍ୟସଭା ଓ ଲୋକସଭାରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି। ପୁଲିସ୍‌ ଲାଠି ମାଡ଼ କରି ଛାତ୍ରଛାତ୍ରୀଙ୍କ ସ୍ୱର ଦବାଇ ଦେବାକୁ ଚେଷ୍ଟା କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ରାଜ୍ୟସଭାରେ ଜେଏନ୍‌ୟୁ ଓ ଜମ୍ମୁ-କଶ୍ମୀରରେ ଅଟକ ନେତାଙ୍କ ପ୍ରସଙ୍ଗ ଉଠା ଯାଇଥିଲା। ଏ ସମ୍ପର୍କରେ ଆଲୋଚନା ପାଇଁ ବିରୋଧୀ ଅଡ଼ି ବସିଥିଲେ ହେଁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଏଥିପାଇଁ ଅନୁମତି ଦେଇ ନଥିଲେ। ଫଳରେ ପ୍ରବଳ ନାରାବାଜି ମଧ୍ୟରେ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା।