ଜଷ୍ଟିସ୍‌ ଲୋୟାଙ୍କ ମୃତ୍ୟୁ ପ୍ରସଙ୍ଗ, ପରବର୍ତ୍ତି ଶୁଣାଣି  ଫେବୃୟାରୀ ୫ରେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିଏଚ୍ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଆଜି, ଶୁଣାଣି ବେଳେ ଉଭୟ ପକ୍ଷକୁ ଶୁଣିଥିଲେ ଅଦାଲତ। ମହାରାଷ୍ଟ୍ର ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦୁଷ୍ୟାନ୍ତ ଡାଭେ ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁ ନେଇ ଥିବା ସନ୍ଦେହ ଉପରରୁ ପରଦା ହଟାଇବା ପାଇଁ କୋର୍ଟରେ ନିବେଦନ କରିଥିଲେ ଆବେଦନକାରୀ।

ଏହାସହ ସମ୍ପୁର୍ଣ୍ଣ ମାମଲାର ଯାଞ୍ଚ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଯିବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ମାମଲାରେ ପରବର୍ତ୍ତି ଶୁଣାଣି ଆସନ୍ତା ସୋମବାର ହେବ। ପୂର୍ବରୁ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରି ୩ଟି ଜନସ୍ୱାର୍ଥ ମାମଲା ଦାଏର ହୋଇଛି।  ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ହୋଇଥିବା ନେଇ ପରିବାର ଲୋକେ ଏବଂ ମହାରାଷ୍ଟ୍ର ପୋଲିସ କହିଥିଲେ।

ସୂଚନାଯାଗ୍ୟ, ଜଷ୍ଟିସ୍ ଲୋୟା ବହୁ ଚର୍ଚ୍ଚିତ ସୋରାବୁଦ୍ଦିନ୍ ଏନକାଉଣ୍ଟର ମାମଲାର ତଦନ୍ତ କରୁଥିଲେ।  ତେବେ ୨୦୧୪ରେ ନାଗପୁରର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ତାଙ୍କ ହୃଦଘାତରରେ ମୃତ୍ୟୁ ହୋଇଥିଲା ।