ବିକ୍ରି ହେଲେ ବିଚାରପତି?: ବେଲ୍‌ର ମୂଲ୍ୟ ୧୦ କୋଟି

ନୂଆଦିଲ୍ଲୀ: ଏକ ବଳାତ୍କାର ମାମଲାରେ ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଜାମିନ ମିଳିବା ଘଟଣାରେ ହୋଇଛି ବଡ଼ ପର୍ଦ୍ଦାଫାଶ। ଏକ ବଡ଼ ଷଡ଼ଯନ୍ତ୍ର ଜରିଆରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ଓ ଏଥିରେ ବରିଷ୍ଠ ବିଚାରପତିମାନେ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିଛି। ଏଥିପାଇଁ ୧୦ କୋଟି ଟଙ୍କାର କାରବାର ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ପ୍ରଜାପତିଙ୍କୁ ଜାମିନ ମିଳିବା ଘଟଣାର ତଦନ୍ତ କରିବା ପାଇଁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଦିଲ୍ଲୀପ ବି ଭୋସଲେ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଜାପତିଙ୍କୁ ଜାମିନ ଦେବା ପାଇଁ ବିଚାପତି ଓ.ପି ମିଶ୍ରା ଓ ରାଜେନ୍ଦ୍ର ସିଂହଙ୍କୁ ୫ କୋଟି ଟଙ୍କା ଦିଆଯାଇଥିଲା। ସେହିପରି ଆଉ ୫ କୋଟି ଟଙ୍କାକୁ ତିନି ଜଣ ଓକିଲଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ଏହି ଓକିଲମାନେ ମଧ୍ୟସ୍ଥି କାମ ତୁଲାଇ ଥିଲେ।

ତଦନ୍ତ ରିପୋର୍ଟରେ କୁହାଯାଇଛି ଜଷ୍ଟିସ୍ ମିଶ୍ରାଙ୍କୁ ବେଆଇନ୍ ଭାବେ ପିଓସିଏସ୍‌ଓ (ଯୌନ ନିର୍ଯାତନାରୁ ଶିଶୁମାନଙ୍କୁ ସୁରକ୍ଷା) ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଅବସରର ନେବାର ମାତ୍ର ୩ ସପ୍ତାହ ପୂର୍ବରୁ ଏପ୍ରିଲ୍‌ ୭ରେ ତାଙ୍କୁ ବଦଳି କରାଯାଇଥିଲା। ଏପ୍ରିଲ ୨୫ରେ ସେ ପ୍ରଜାପତିଙ୍କୁ ଜାମିନ ଦେଇଥିଲେ। ଜିଲ୍ଲା ବିଚାରପତି ରାଜେନ୍ଦ୍ର ସିଂହ ତାଙ୍କୁ ବଦଳି କରି ଥିଲେ ଯାହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଥିଲା।  ଜଷ୍ଟିସ୍ ସିଂହଙ୍କୁ ପଚରାଉଚରା କରାଯାଇଛି ଓ ହାଇକୋର୍ଟଙ୍କୁ ତାଙ୍କର ହେବାକୁ ଥିବା ପଦୋନ୍ନତିକୁ ବାତିଲ କରି ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଉତ୍ତର ପ୍ରଦେଶ ପୋଲିସ୍ ଗତ ଫେବ୍ରୁଆରୀ ୧୭ ତାରିଖରେ ପ୍ରଜାପତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେତେବେଳେ ସେ ରାଜ୍ୟର ମନ୍ତ୍ରୀ ଥିଲେ। ମାର୍ଚ୍ଚ ୧୫ରେ ତାଙ୍କୁ ଗିରଫ କରାଗଲା। ଏପ୍ରିଲ ୨୪ରେ ସେ ଜାମିନ ଆବେଦନ କରିଥିଲେ। ତଦନ୍ତ ଜାରି ରହିଥିବା ସତ୍ତ୍ୱେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।