କ୍ଷମା ମାଗିବାକୁ ଚାହୁଁଛନ୍ତି ଜଷ୍ଟିସ୍ କର୍ଣ୍ଣନ; ପଢ଼ନ୍ତୁ ସୁପ୍ରିମକୋର୍ଟଙ୍କୁ କ’ଣ କହିଛନ୍ତି ତାଙ୍କ ଓକିଲ

ନୂଆଦିଲ୍ଲୀ: ଛଅ ମାସ ଜେଲ୍ ଦଣ୍ଡାଦେଶ ପାଇଥିବା କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସି.ଏସ୍‌ କର୍ଣ୍ଣନ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଚାହୁଁଛନ୍ତି। ଆଜି ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି। କିନ୍ତୁ କୋର୍ଟ ରେଜିଷ୍ଟ୍ରୀ ତାଙ୍କର ଏହି ଆବେଦନକୁ ଗ୍ରହଣ କରି ନ ଥିବା ଏଏନ୍‌ଆଇ ସୂତ୍ରରୁ ଜଣାପଡ଼ିଛି।

ଜଷ୍ଟିସ୍‌ କର୍ଣ୍ଣନଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ଗିରଫ ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେବା ପାଇଁ ମଧ୍ୟ ତାଙ୍କ ଓକିଲ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି।

ଅଦାଲତ ଅବମାନନା ଅଭିଯୋଗରେ ସୁପ୍ରିମ୍‌କୋର୍ଟ ଜଷ୍ଟିସ୍‌ କର୍ଣ୍ଣନଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିବାକୁ କୋଲକାତା ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୯ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ଆସିବା ପରଠାରୁ ସେ ନିଖୋଜ ହୋଇଯାଇଛନ୍ତି। ସେ ଚେନ୍ନାଇରେ ଥିବା କୁହାଯାଉଛି। ଏପରିକି ସେ ଦେଶ ଛାଡ଼ି ଚାଲିଯାଇଥିବା ମଧ୍ୟ ଆଲୋଚନା ହେଉଛି।

ଜେଲ୍ ଦଣ୍ଡାଦେଶ ପାଇବାରେ ସେ ହେଉଛନ୍ତି ଦେଶର ପ୍ରଥମ ହାଇକୋର୍ଟ ବିଚାରପତି।

ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ