କାବୁଲରେ ବୋମା ବିସ୍ଫୋରଣ, ୨୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଏକ କାର୍‌ରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଗୃହ ମନ୍ତ୍ରଣାଳୟର ପ୍ରତିନିଧି ନଜୀବ ଡେନିଶ ସାଇ କହିଛନ୍ତି,“ ଆହତମାନଙ୍କ ସଂଖ୍ୟା ବଢ଼ିପାରେ। କାବୁଲର ପଶ୍ଚିମ ଭାଗରେ ଥିବା ମହମ୍ମଦ ମୋହାକିକ୍ ଘର ନିକଟରେ ଏହି ବିସ୍ଫୋରଣ ହୋଇଛି।” ତେବେ ନିର୍ଦ୍ଦିଷ୍ଟ ଭାବେ କାହାକୁ ଟାଗେର୍ଟ କରାଯାଇଥିଲା ତାହା ସ୍ପଷ୍ଟ କରାଯାଇ ନାହିଁ।

ମହମ୍ମଦ ମୋହାକିକ୍ ଆଫଗାନିସ୍ତାନର ଜଣେ ଜଣାଶୁଣା ରାଜନୈତିଜ୍ଞ। ସେ ଆଫଗାନିସ୍ତାନ ସଂସଦର ସଦସ୍ୟ ଭାବେ କାର୍ଯ୍ୟରତ। ଆଫଗାନିସ୍ତାନ ପିପୁଲସ୍ ଇସଲାମିକ୍ ୟୁନିଟି ପାର୍ଟିର ସେ ସଂସ୍ଥାପକ।

ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ତଳେ ଏହି ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ୧୨ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ନିଜକୁ ଦାୟୀ କରିଥିଲା।