କଳାଧନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ କଳାଧନ ସମ୍ପର୍କରେ ରଖିଥିବା ମତ ନେଇ ଆଜି ଶିବସେନା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି “କଳାଧନ ଦେଶକୁ ଫେରାଇ ଆଣିବା ପାଇଁ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲା। କିନ୍ତୁ ଦୁଇ ବର୍ଷ ଶାସନ ପରେ କେତେ ଜଣ ଦେଶବାସୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା ରଖାଯାଇଛି?”

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମକୁ କଟାକ୍ଷ କରି ଶିବସେନା ଶୀର୍ଷକ ଲେଖିଛି  ‘ଚାହା ଠାରୁ କେଟଲୀ ଗରମ’।

“ସାମନା”ଲେଖିଛି, “ଦେଶର ପରିବର୍ତ୍ତନ ହେଉଛି କିନ୍ତୁ ଆମକୁ ମାଗଣା ଚାହା ଦରକାର ନାହିଁ। କେନ୍ଦ୍ର ସରକାର ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ରଖିବା  ପାଇଁ ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। ଏହି ଟଙ୍କା କେବେ ଜମା କରିବେ କେନ୍ଦ୍ର ସରକାର ଜବାବ ଦିଅନ୍ତୁ?”

ଅବଶ୍ୟ ଏ ଲେଖାରେ ମୋଦିଙ୍କୁ ଅଧିକ ସମୟ ଦେବା ପାଇଁ  ଯୁକ୍ତି ବାଢ଼ିଛି ‘ସାମନା’। କହିଛି: “ପ୍ରଧାନମନ୍ତ୍ରୀ ମୋଦି ୫୦ ବର୍ଷର ଅଳିଆ ସଫା କରୁଛନ୍ତି। ତାଙ୍କ ହାତରେ ଅଳିଆ ସଫା କରିବା ପାଇଁ ଛଡ଼ି ଅଛି। କିନ୍ତୁ  ଯାଦୁ ଛଡ଼ି ନାହିଁ। ଏଥିପାଇଁ ସେ ସବୁ ଅଳିଆକୁ ଦୁଇ ବର୍ଷରେ ସଫା କରିପାରିବେ ନାହିଁ ।  ମୋଦି ଏଭଳି ବିଶ୍ୱାସ ନ ରଖିବା ଉଚିତ୍। ମୋଦିଙ୍କୁ କିଛି ସମୟ ଦେବା ଆବଶ୍ୟକ।”