ଜନ୍ମଦିନରେ ଏମିତି କିଛି ଘୋଷଣା କଲେ କମଲ ହାସନ, ତାମିଲନାଡୁରେ ହଇଚଇ

ଚେନ୍ନାଇ: ତାମିଲ ସୁପର୍‌ଷ୍ଟାର କମଲ ହାସନ ତାଙ୍କ ୬୪ତମ ଜନ୍ମ ଦିନରେ ଏକ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ଏମ୍‌ଏନ୍‌ଏମ୍‌ ନାମକ ଏକ ରାଜନୀତିକ ଦଳ ଗଠନ କରିଥିବା କମଲ ହାସନ ନିକଟରେ ହେବାକୁ ଥିବା ତାମିଲନାଡୁର ସମସ୍ତ ୨୦ଟି ଯାକ ବିଧାନସଭା ଆସନର ଉପ ନିର୍ବାଚନରେ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, ତାମିଲନାଡୁର ୨୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ସେସବୁ ନିର୍ବାଚନ ମଣ୍ଡଳୀରେ ୮୦% ଲେଖାଏ କର୍ମୀଙ୍କୁ ନିଯୁକ୍ତି ଦିଆ ସରିଲାଣି।

କେହି ଜାଣି ନାହାନ୍ତି ଉପ ନିର୍ବାଚନ ପାଇଁ ତାରିଖ କେବେ ଘୋଷଣା ହେବ। କିନ୍ତୁ ନିର୍ବାଚନ ଯେତେବେଳେ ହେଲେ ମଧ୍ୟ ଆମ ଦଳ ସମସ୍ତ ୨୦ଟି ଯାକ ଆସନରେ ପ୍ରାର୍ଥୀ ଦେବ ବୋଲି କମଲ ହାସନ କହିଛନ୍ତି।
ଶ୍ରୀଲଙ୍କାରେ ଚାଲିଥିବା ରାଜନୀତିକ ଅସ୍ଥିରତା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା କମଲ ହାସନ କହିଛନ୍ତି, “ ବର୍ତ୍ତମାନ ଆମ ଦେଶରେ ଅନେକ ପ୍ରସଙ୍ଗ ଅସମାପ୍ତ ହୋଇ ରହିଛି। ଏଭଳି ସ୍ଥିତିରେ ଅନ୍ୟ ଦେଶର ସମସ୍ୟା ଉପରେ ପ୍ରତିକ୍ରିୟା ଦେବା ଠିକ୍‌ ନୁହେଁ।”

ମାଡ୍ରାସ ହାଇକୋର୍ଟ ୧୮ ଜଣ ଏଆଇଏଡିଏମକେ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନିଷ୍ପତ୍ତିକୁ କାଏମ ରଖିଥିବାରୁ ଏବେ ସେସବୁ ଆସନ ଖାଲି ପଡ଼ିଛି। ସେହିପରି ଏମ୍‌ କରୁଣାନିଧି ଓ ଏକେ ବୋଷଙ୍କ ନିଧନ ପରେ ସେମାନଙ୍କର ଦୁଇଟି ଯାକ ଆସନ ମଧ୍ୟ ଖାଲି ପଡ଼ିଛି। ତେଣୁ ୨୦ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାର ସମ୍ଭାବନା ରହିଛି।