ପଟିଆଲା କୋର୍ଟରେ କହ୍ନେୟାଙ୍କ ଉପରେ ହୋଇଥିଲା ଆକ୍ରମଣ: ମେଡିକାଲ୍ ରିପୋର୍ଟ

kanheyakumarନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ କମ୍ପ୍ଲେକ୍ସ୍ ପରିସରରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କୁ ଆକ୍ରମଣ କରାଯାଇ ନାହିଁ ବୋଲି ପୋଲିସ୍ ଦାବି କରିଥିଲା। ତେବେ ଦିଲ୍ଲୀ ପୋଲିସ୍‌ର ଏହି ଦାବି ଭୁଲ୍ ସାବ୍ୟସ୍ତ ହୋଇଛି। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଯେ କହ୍ନେୟାଙ୍କୁ ପଟିଆଲା ହାଉସ୍ କୋର୍ଟ ପରିସରରେ ଆକ୍ରମଣ କରାଯାଇଥିଲା। ମେଡିକାଲ୍ ରିପୋର୍ଟ କହୁଛି ଆକ୍ରମଣରେ ସେ ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ ଓ ନାକରେ ଏକାଧିକ ମାଡ଼ ହୋଇଛି।

ଦେଶ ବିରୋଧୀ ସ୍ଲୋଗାନ୍ ଦେବା ଅଭିଯୋଗରେ ଗିରଫ କରାଯାଇଥିବା କହ୍ନେୟାଙ୍କୁ ବୁଧବାର ପଟିଆଲା କୋର୍ଟରେ ହାଜର କରାଯାଇଥିଲା। ପୋଲିସ୍ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରୁମ୍ ବାହାରେ ତାଙ୍କୁ ଓକିଲ ପୋଷାକରେ ଥିବା କିଛି ବ୍ୟକ୍ତି ଆକ୍ରମଣ କରି ଥିଲେ। ତାଙ୍କ ସହିତ କିଛି ସାମ୍ବାଦିକ ଓ ଛାତ୍ରଙ୍କୁ ବି ଆକ୍ରମଣ କରାଯାଇଥିଲା।

ଏହି ଘଟଣା ପରେ ସୁପ୍ରିମ୍‌କୋର୍ଟ ବିରକ୍ତି ପ୍ରକାଶ କରି ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ୍ କମିଶନର ବି.ଏସ୍ ବାସ୍ସି କହିଥିଲେ ଯେ କହ୍ନେୟାଙ୍କୁ ଆକ୍ରମଣ କରାଯାଇ ନ ଥିଲା। ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ତେବେ କହ୍ନେୟାଙ୍କ ଉପରକୁ ପଥର ଫିଙ୍ଗା ଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ। ଏହା ସହିତ ପରେ ପଟିଆଲା କୋର୍ଟ ପରିସରରେ ବୁଧବାର ଘଟିଥିବା ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ କରାଯାଇଥିଲା।