କହ୍ନେୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରିବାକୁ ଶୁକ୍ରବାର ମନା କରି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହା ସହିତ ଦିଲ୍ଲୀ ହାଇକୋର୍ଟରେ ଜାମିନ ଆବେଦନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଥିଲେ ଯେ ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଜାମିନ୍ ଆବେଦନ କରିବା ଉଚିତ୍ ହୋଇଥାଆନ୍ତା।

କହ୍ନେୟାଙ୍କ ତରଫରୁ ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଥିଲେ ବୃନ୍ଦା ଗ୍ରୋଭର। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ପଟିଆଲା ହାଉସ୍ କୋର୍ଟ ପରିସରରେ ଓକିଲଙ୍କ ଏକ ଦଳ କହ୍ନେୟାଙ୍କ ଉପରେ ଆକ୍ରମଣ କରି ଥିଲେ। ତେଣୁ ପଟିଆଲା ହାଉସ୍ କୋର୍ଟ କହ୍ନେୟାଙ୍କ ଜାମିନ୍ ଶୁଣାଣି ପାଇଁ ଉପଯୁକ୍ତ ସ୍ଥାନ ନୁହେଁ।

କହ୍ନେୟା କୁମାର ସଂବିଧାନର ଅନୁଚ୍ଛେଦ ୩୨ ଆଧାରରେ ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ କରି ଥିଲେ। ଅନୁଚ୍ଛେଦ ୩୨ ଅନୁଯାୟୀ ଜଣେ ନାଗରିକ ନିଜ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ ରଖିବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବ।

କହ୍ନେୟାଙ୍କୁ ମୁକ୍ତ କରିବା ପାଇଁ ଆଜି ବିହାରର ମଧୁବନୀରେ କିଛି ଲୋକ ଦରଭଙ୍ଗା-ନୂଆଦିଲ୍ଲୀ ସଂପର୍କ କ୍ରାନ୍ତି ଟ୍ରେନ୍‌କୁ ରୋକି ଥିଲେ ଓ ଟ୍ରେନ୍‌ର ଇଞ୍ଜିନ୍ ଉପରେ ଚଢ଼ି ସ୍ଲୋଗାନ୍ ଦେଇଥିଲେ।