କାନସାସ୍‌ ଗୁଳିକାଣ୍ଡକୁ ନିନ୍ଦା କଲେ ଟ୍ରମ୍ପ

ୱାଂଶିଟନ: ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ ପରେ ଆମେରିକା କଂଗ୍ରେସକୁ ଡୋନାଲଡ୍‌ ଟ୍ରମ୍ପ ପ୍ରଥମ ଥର ସମ୍ବୋଧନ କରିଛନ୍ତି। ହେଟ୍ କ୍ରାଇମକୁ ଟ୍ରମ୍ପ ନା ପସନ୍ଦ କରିବା ସହ କାନସାସ୍‌ ଗୁଳିକାଣ୍ଡକୁ ନିନ୍ଦା କରିଛନ୍ତି।  କିଛିଦିନ ତଳେ କାନସାସ୍‌ରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିଲା। ଏହାସହ ଆଇଏସ୍‌ଆଇଏସ୍‌ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଟ୍ରମ୍ପ ଗୁରୁତ୍ୱ ଦେଇଛନ୍ତି। ଆମେରିକାକୁ ଦେଶାନ୍ତର ହେଉଥିବା ମୁସଲିମ୍‌ ରାଷ୍ଟ୍ରଗୁଡ଼ିକର ନାଗରିକଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଯିବା ନେଇ ମଧ୍ୟ ଟ୍ରମ୍ପ ଆଭାସ ଦେଇଛନ୍ତି।

ଏହାସହ ଆମେରିକାର ପ୍ରତିରକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ, ଅର୍ଥନୈତିକ ବିକାଶ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଟ୍ରମ୍ପ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଯେପରି ସ୍ୱଚ୍ଛ ପାଣି ଓ ପବନ ମିଳିବ, ସେଥିଲାଗି ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।”

ସେହିଭଳି ଆମେରେକୀୟଙ୍କୁ କମ୍ ମୂଲ୍ୟରେ ଔଷଧ ଉପଲବ୍ଧ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ବାୟ ଆମେରିକାନ ଓ ହାୟାର ଆମେରିକାନ ନୀତିରେ ତାଙ୍କ ସରକାର ବିଶ୍ୱାସ କରେ ବୋଲି ଟ୍ରମ୍ପ କରିଛନ୍ତି। ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବାର ପ୍ରାୟ ୪୦ ଦିନ ପରେ କଂଗ୍ରେସକୁ ପ୍ରଥମ ଥର ପାଇଁ ସମ୍ବୋଧିତ କରିଥିଲେ।