ନଛୋଡବନ୍ଦା କପିଲ୍‌ ମିଶ୍ରା; କେଜ୍ରିୱାଲଙ୍କ ଘର ସାମ୍ନାରେ କଲେ ଭଜନ-କୀର୍ତ୍ତନ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌)ର ନିଲମ୍ୱିତ ନେତା କପିଲ ମିଶ୍ରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଆଜି ସକାଳେ ସେ ତାଙ୍କ ସମର୍ଥନମାନଙ୍କୁ ଧରି କେଜ୍ରିୱାଲଙ୍କ ଜନତା ଦରବାର ନିକଟରେ ପହଞ୍ଚି ପୁଣି ଏକ ନୂଆ ଡ୍ରାମା ଆରମ୍ଭ କରିଛନ୍ତି। ସେ ଆଜି  ତାଙ୍କ ସମର୍ଥକମାନଙ୍କ ସହ ଆସି କେଜ୍ରିୱାଲଙ୍କ ଘର ସାମ୍ନାରେ ଭଜନ- କୀର୍ତ୍ତନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କ ଜନତା ଦରବାର ନିକଟକୁ ଯାଇ ବିଭିନ୍ନ ଦୁର୍ନୀତିର ଖୁଲାସା କରିବେ ବୋଲି  କିଛି ଦିନ ତଳେ କପିଲ ମିଶ୍ରା କହିଥିଲେ। ସେ ଆଜି ତାଙ୍କର ୨୦ରୁ ଅଧିକ ସମର୍ଥକଙ୍କୁ ଧରି ମୁଖ୍ୟମନ୍ତ୍ରୀ ଘର ବାହାରେ ପହଞ୍ଚିଥିଲେ।  ମୁଖ୍ୟମନ୍ତ୍ରୀଙ୍କ  ଘର ଭିତରକୁ କେବଳ ୭ ଜଣ ଲୋକ ଯିବାର ଅନୁମତି ଥିବା ବେଳେ କପିଲ୍ ତାଙ୍କର୨୦ ଜଣ ସମର୍ଥକଙ୍କୁ ଧରି ପଶିବାକୁ ଉଦ୍ୟମ କରିଥିଲେ।

ପୋଲିସ ସେମାନଙ୍କୁ ଯିବାକୁ ଅନୁମତି ଦେଇନଥିଲା। ଫଳରେ କପିଲ ମିଶ୍ରା ଓ ତାଙ୍କ ସମର୍ଥକଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲେ।  ସେମାନେ ଭିତରକୁ ଯିବା ପାଇଁ ବ୍ୟାରିକେଟ୍ ଉପରକୁ ମଧ୍ୟ ଚଢି ଯାଇଥିଲେ।

ଜନତା ଦରବାରକୁ ଯିବାକୁ ଅନୁମତି ନ ମିଳିବାରୁ କିପଲ୍ ମିଶ୍ରା ତଳେ ବସି କୀର୍ତ୍ତନ ଆରମ୍ଭ କରିଦେଇଥିଲେ। ‘ଅବ୍‌ତୋ କୁର୍ସି ଛଡୋ କେଜ୍ରିୱାଲ୍…: ରଘୁପତି ରାଘବ ରାଜା ରାମ …ପରି ଭଜନ ଗାଇଥିଲେ କପିଲ ମିଶ୍ରା ଓ ତାଙ୍କ ସମର୍ଥକ।