ତେଜୁଛି ‘ପଦ୍ମାବତ’କୁ ବିରୋଧ: ସ୍କୁଲ ବସ୍‌କୁ ଆକ୍ରମଣ କଲେ, ପିଲାଙ୍କୁ ବି ଦୟା ଦେଖାଇଲେ ନାହିଁ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ’ ବିରୁଦ୍ଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ପରେ ବି ଫିଲ୍ମଟି ଆଜି ରିଲିଜ ହୋଇଯାଇଛି। ତେଣୁ ଦେଶର ଅନେକ ସ୍ଥାନରେ କରଣୀ ସେନା ହରତାଳକରି ଭଙ୍ଗାରୁଜା ପୋଡ଼ା ଜଳା ଆରମ୍ଭ କରିଦେଇଛି।

ଗତକାଲି ହରିଆଣାର ଗୁରୁଗ୍ରାମରେ କରଣୀ ସେନା ଏକ ସ୍କୁଲ ବସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ଦିଲ୍ଲୀରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି। ସେପଟେ ଗୁରୁଗ୍ରାମରେ ଗତକାଲି ଜିଡି ଗୋଏଙ୍କା ସ୍କୁଲର ବସ ଉପରେ ବିକ୍ଷୋଭକାରୀଙ୍କ ଆକ୍ରମଣର ଭିଡିଓ ଭାଇରାଲ ହେବା ପରେ ବଡ଼ବଡ଼ ସ୍କୁଲ ଏକ ସପ୍ତାହ ପାଇଁ ବନ୍ଦ ରହିବ। ବିକ୍ଷୋଭ ବେଳେ ପୋଡ଼ାଜଳା ଓ ପଥରମାଡ ଭୟରେ ସ୍କୁଲ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଗତକାଲି ସେସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କରଣୀ ସେନାଙ୍କୁ ସ୍କୁଲ ପିଲା ଓ ମହିଳାମାନଙ୍କ ଉପରେ ଆକ୍ରମଣ କରିବାର ଦେଖିବାକୁ ମିଳିଥିଲା। ସ୍କୁଲ କର୍ମୀ ଓ ପିଲାମାନେ ସିଟ୍ ତଳେ ଲୁଚି ନିଜକୁ ବଞ୍ଚାଇଥିଲେ।

ଘଟଣାଟି ସମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ, କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଅନେକ ବଲିଉଡ ଷ୍ଟାର ଏହାର କଡ଼ା ନିନ୍ଦା କରିଛନ୍ତି।