କାର୍ଗିଲ ହିରୋଙ୍କୁ ମିଳିଲା ଡବଲ୍ ପ୍ରମୋଶନ୍

ଅମୃତସର: ବୀରତାର ପରିଚୟ ଦେଇ ଶତ୍ରୁ ପକ୍ଷଙ୍କ ସହ ଲଢ଼େଇ କରି ଦେଶ ପାଇଁ ବିଜୟ ବାନା ଉଡ଼ାଇଥିବା କାର୍ଗିଲ ହିରୋ ତଥା ବୀର ଚକ୍ର ସମ୍ମାନରେ ସମ୍ମାନିତ ସତପାଲ ସିଂହଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଡବଲ ପ୍ରମୋସନ ଦେଇଛନ୍ତି।

ଏ ସମ୍ପର୍କରେ ଟ୍ୱିଟ କରି ଅମରିନ୍ଦର ସିଂହ କହିଛନ୍ତି, “କାର୍ଗିଲ ହିରୋ ସତପାଲ ସିଂହଙ୍କୁ ଏଏସ୍‌ଆଇ ପଦ ମିଳିଛି। ହେଲେ ଆଜି ଯାଏ ଏହି କାର୍ଗିଲ ହିରୋଙ୍କୁ ଉପଯୁକ୍ତ ସମ୍ମାନ ମିଳି ନଥିବାରୁ ମୁଁ ଦୁଃଖିତ।”

ଅମରିନ୍ଦର ଆହୁରି କହିଛନ୍ତି, ରାଜ୍ୟ ସରକାର ପଦକ ବିଜେତା ପୁଲିସ୍‌ କର୍ମଚାରୀ ଓ ପ୍ରତିରକ୍ଷା ଅଧିକାରୀଙ୍କୁ ଉପଯୁକ୍ତ ପୁରସ୍କାର ଦେବାକୁ ଏକ ନୂଆ ନୀତି ପ୍ରଣୟନ କରିବ। ଏବେ ଗ୍ୟାଲାଣ୍ଟ୍ରି ପୁରସ୍କାର ପ୍ରାପ୍ତ ପୁଲିସ୍‌ ଓ ପ୍ରତିରକ୍ଷା କର୍ମଚାରୀଙ୍କୁ ଅଧିକ ଗୋଟିଏ ରାଙ୍କକୁ ପଦୋନ୍ନତି ମିଳିବ।

ପୂର୍ବରୁ ସତପାଲ ସିଂହ ଟ୍ରାଫିକ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ଉପରେ ଗଣମାଧ୍ୟମରେ ଚର୍ଚ୍ଚା ହେବ ପରେ ଏବେ ସେ ଡବଲ ପ୍ରମୋଶନ ପାଇ ଏଏସ୍‌ଆଇ ଭାବେ ଅବସ୍ଥାପିତ ହୋଇଛନ୍ତି।