କର୍ଣ୍ଣାଟକାରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ସେ ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ ଦେଇଛନ୍ତି। ସେମାନେ ହେଲେ ଗୋବିନ୍ଦ ମକଥାପ୍ପା କାରାଜୋଲ, ଅଶ୍ୱଥ ନାରାୟଣ ସିଏନ ଏବଂ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି।

ଏମାନଙ୍କୁ କ୍ୟାବିନେଟ୍‌ ସୁବିଧା ମିଳିବ। ଲକ୍ଷ୍ମଣ ବିଧାୟକ କିମ୍ବା ବିଧାନ ପରିଷଦକୁ ନିର୍ବାଚିତ ହୋଇ ନଥିଲେ ହେଁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ସେହିପରି ପୂର୍ବରୁ ୟେଦ୍ୟୁଙ୍କ ମନ୍ତ୍ରିମଣ୍ଡଳରେ ୧୭ ଜଣ ସଦସ୍ୟ ଥିଲେ। ଏବେ ଏଥିରେ ଆଉ ୧୪ ଜଣ ସାମିଲ ହୋଇଛନ୍ତି।

ଗୋବିନ୍ଦଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ସହ ପୂର୍ତ୍ତ ବିଭାଗ ଓ ସାମାଜିକ କଲ୍ୟାଣ ବିଭାଗ ପାଇଛନ୍ତି। ଅଶ୍ୱଥ ନାରାୟଣଙ୍କୁ ଉଚ୍ଚ ଶିକ୍ଷା, ଆଇଟି, ବିଟି, ସାଇନ୍ସ ଓ ଟେକ୍ନୋଲଜି ବିଭାଗ ମିଳିଛି। ଲକ୍ଷ୍ମଣଙ୍କୁ ପରିବହନ ବିଭାଗ ଦାୟିତ୍ୱ ଦିଆଯାଇଛି। ବଳକା ଥିବା ବିଭାଗ ଗୁଡ଼ିକର ଦାୟିତ୍ୱ ୟେଦ୍ୟୁରପ୍ପା ନିଜ ପାଖରେ ରଖିଛନ୍ତି।