ସରିନି କର୍ଣ୍ଣାଟକା ଡ୍ରାମା, ଅନିଶ୍ଚିତତାରେ ୟେଦ୍ଦୁରପ୍ପାଙ୍କ ମୁଖ୍ୟମନ୍ତ୍ରୀ ସ୍ଵପ୍ନ

ନୂଆଦିଲ୍ଲୀ: କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ଭାଙ୍ଗି ସରକାର ଭୁଶୁଡ଼ାଇବାକୁ ସକ୍ଷମ ହୋଇଥିବା ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା କର୍ଣ୍ଣାଟକାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ୟେଦ୍ଦୁରପ୍ପାଙ୍କ ଏହି ଆଶା ଏବେ ଅନିଶ୍ଚିତତା ମଧ୍ୟରେ ରହିଛି। ଇଂରାଜୀରେ ଏକ କଥା ରହିଛି, “ so near, yet so far”।

ଏହା ୟେଦ୍ଦୁରପ୍ପାଙ୍କ କ୍ଷେତ୍ରରେ ଘଟୁଛି । ମଙ୍ଗଳବାର କଂଗ୍ରେସ-ଜେଡିଏସ୍‌ ସରକାର ଆସ୍ଥା ଭୋଟରେ ବିଫଳ ହେବା ପରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୟେଦ୍ଦୁରପ୍ପା ସରକାର ଗଠନ ପାଇଁ ଦାବି କରିବେ ବୋଲି କୁହାଯାଇ ଥିଲା ।

କିନ୍ତୁ କର୍ଣ୍ଣାଟକା ବିଜେପି ଓ ୟେଦ୍ଦୁରପ୍ପାଙ୍କ ଏହି ଗୋଟି ଚାଳନା ଉପରେ କେନ୍ଦ୍ରୀୟ ନେତୃତ୍ୱ ବ୍ରେକ୍‌ ଲଗାଇ ଦେଇଛନ୍ତି। କେନ୍ଦ୍ରୀୟ ନେତୃତ୍ୱବୃନ୍ଦ ଆସି କର୍ଣ୍ଣାଟକାର ସ୍ଥିତି ସମୀକ୍ଷା କରିବେ। ଏଥିସହ ବିଜେପି ବିଧାୟକ ଦଳ ନେତା ଚୟନ କାର୍ଯ୍ୟକ୍ରମ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ହେବ। ଏହାପରେ ଯାଇ ବିଜେପି ସରକାର ଗଠନ ପାଇଁ ଦାବି କରିବ।

ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତି କେଏମ ରମେଶ କୁମାର କାଳେ ଅଯୋଗ୍ୟ ଘୋଷଣା କରିଦେବେ, ସେ ଭୟ ମଧ୍ୟ ୟେଦ୍ଦୁରପ୍ପା ଓ ବିଜେପିକୁ ଘାରିଛି। କାରଣ ରମେଶ କୁମାର ଏଯାଏ ବିଧାୟକଙ୍କ ଇସ୍ତଫାପତ୍ର ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସୂତ୍ର ଅନୁସାରେ, ୟେଦ୍ଦୁରପ୍ପା ଏବେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ଅବଶ୍ୟ ବିଜେପି ଏବେ ରାଜ୍ୟରେ ସର୍ବବୃହତ ଦଳ ଭାବେ ଉଭା ହୋଇଛି।

ହେଲେ କର୍ଣ୍ଣାଟକା ବିଧାନସଭାର ମୋଟ ଆସନ ସଂଖ୍ୟା ୨୨୫। ତେଣୁ ବିଜେପି ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ନାହିଁ। ଆସ୍ଥା ଭୋଟ ସମୟରେ ବିଜେପି ସପକ୍ଷରେ ୧୦୫ ବିଧାୟକ ଭୋଟ ଦେଇଥିବା ବେଳେ କୁମାରସ୍ୱାମୀଙ୍କ ସପକ୍ଷରେ ୯୯ଟି ଭୋଟ ପଡ଼ିଥିଲା। ଆସ୍ଥା ଭୋଟ ବେଳେ ବିଦ୍ରୋହୀ କଂଗ୍ରେସ ବିଧାୟକ ଏବେ ବି ବିଧାନସଭାର ସଦସ୍ୟ ହୋଇ ରହିଛନ୍ତି।

ଅବଶ୍ୟ ୩ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଜେପିକୁ ସମର୍ଥନ କରିବେ ବୋଲି କହିଥିବାରୁ, ଦଳ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ବିଏସ୍‌ପିରୁ ବହିଷ୍କୃତ ହୋଇଥିବା ବିଧାୟକ ଏନ୍‌ ମହେଶ କେଉଁ ଦଳକୁ ସମର୍ଥନ କରିବେ, ତାହା ସ୍ପଷ୍ଟ କରିନାହାନ୍ତି। ସେହିପରି ଦୁଇ କଂଗ୍ରେସ ବିଧାୟକ ବି ନଗେନ୍ଦ୍ର ଓ ଶ୍ରୀମନ୍ତ ପଟେଲଙ୍କ ଭବିଷ୍ୟତ କ’ଣ ହେବ, ସେକଥା ଏଯାଏ ଜଣାପଡ଼ିନାହିଁ।

ଯଦି ନଗେନ୍ଦ୍ର ଓ ପଟେଲ କଂଗ୍ରେସ ସହ ରହିବେ ଏବଂ ମହେଶ କଂଗ୍ରେସ ଜେଡିଏସ୍‌ ମେଣ୍ଟକୁ ସମର୍ଥନ କରିବେ, ତା’ହେଲେ କୁମାରସ୍ୱାମୀଙ୍କ ପାଖରେ ୧୦୩ ବିଧାୟକଙ୍କ ସମର୍ଥନ ମିଳିଯିବ। କର୍ଣ୍ଣାଟକା ବିଧାନସଭାର ଆସନ ସଂଖ୍ୟା ୨୧୦କୁ ଖସି ଆସିବ ଓ ମ୍ୟାଜିକ ନମ୍ବର ୧୦୬ ହୋଇଯିବ।

ଏପରି ସ୍ଥିତିରେ ବିଜେପି ଯେମିତି ହେଲେ ବି ୨ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଲୋଡ଼ିବ। କାରଣ ବିଜେପି ପାଖରେ କେବଳ ୧୦୫ ବିଧାୟକ ରହିଛନ୍ତି। ଏପରି ସ୍ଥିତିରେ ୟେଦ୍ଦୁରପ୍ପାଙ୍କ ପାଇଁ ସରକାର ଗଠନ କରିବା ଆଦୌ ସହଜ ହେବନାହିଁ।