ଲଜ୍‌ରେ ଆତ୍ମହତ୍ୟା କଲେ; ଅନ୍ତିମ ସଂସ୍କାର ପାଇଁ ଛାଡି ଯାଇଛନ୍ତି ୪୦ ହଜାର ଟଙ୍କାର ଚେକ୍

ମହୀଶୂର: ଗତ ବୁଧବାର ଦିନ କର୍ଣ୍ଣାଟକର ମହୀଶୂରର ଶ୍ରୀରଙ୍ଗପଟ୍ଟନମ୍‌ ସ୍ଥିତ ଏକ ଲଜ୍‌ରେ ଜଣେ ୬୯ବର୍ଷୀୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମରିବା ପୂର୍ବରୁ ସେ ତାଙ୍କ ଅନ୍ତିମ ସଂସ୍କାର କିଏ ଓ କେମିତି କରିବେ ତାହା ସୁଇସାଇଡ୍‌ ନୋଟ୍‌ରେ ଲେଖି ଦେଇଥିଲେ। ସେହିପରି ଅନ୍ତିମ ସଂସ୍କାର ପାଇଁ ୪୦ ହଜାର ଟଙ୍କାର ଏକ ଚେକ୍‌ ମଧ୍ୟ ଛାଡି ଯାଇଛନ୍ତି।

ସୂଚନା ଅନୁଯାୟୀ, ମହୀଶୂରର ଶ୍ରୀରଙ୍ଗପଟ୍ଟନମ୍‌ରେ ରହୁଥିବା ୬୯ବର୍ଷୀୟ ରାମକୃଷ୍ଣ କିଛିଦିନ ହେବ ରୋଗାଗ୍ରସ୍ତ ଥିଲେ। ମଙ୍ଗଳବାର ଦିନ ସେ ଶ୍ରୀରଙ୍ଗପଟ୍ଟନମ୍‌ର ଏକ ଲଜ୍‌ରେ ଯାଇ ରହିଲେ ଏବଂ ତା’ପର ଦିନ ସେଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ରାମକୃଷ୍ଣଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ଗତ କିଛି ଦିନ ହେବ ସେ ଚିନ୍ତାରେ ରହୁଥିଲେ। ତେଣୁ ସେ ଏମିତି ପଦକ୍ଷେପ ନେଇଥାଇପାରନ୍ତି। ଶକ୍ତି ବିଭାଗରେ କାମ କରୁଥିବା ରାମକୃଷ୍ଣଙ୍କୁ ଲାଗୁଥିଲା ଯେ ସେ ରୋଗାଗ୍ରସ୍ତ ହୋଇ ତାଙ୍କ ପରିବାର ଉପରେ ବୋଝ ପାଲଟି ଯାଇଛନ୍ତି।

ତେବେ ଏହା ସ୍ପଷ୍ଟ ହୋଇ ପାରିନାହିଁ ଯେ ରାମକୃଷ୍ଣ କେଉଁ ରୋଗରେ ଆକ୍ରାନ୍ତ ଥିଲେ।

ତେବେ ପୋଲିସର କହିବା ଅନୁଯାୟୀ, ସେ ତାଙ୍କ ସୁଇସାଇଡ୍‌ ନୋଟରେ ତାଙ୍କର କିଛି ଅଙ୍ଗ ଖରାପ ହୋଇଯାଇଥିବା କଥା ଲେଖିଛନ୍ତି। ଏଥିସହ ରାମକୃଷ୍ଣଙ୍କ ଶେଷ ଇଚ୍ଛା ଥିଲା ତାଙ୍କ ଅନ୍ତିମ ସଂସ୍କାର ଶ୍ରିରଙ୍ଗପଟ୍ଟନମ୍‌ରେ କରାଯାଉ। ଜଣାଶୁଣା ପୁଜାରୀ ଭାନୁପ୍ରକାଶ ଶର୍ମା ତାଙ୍କ ଅନ୍ତିମ ସଂସ୍କାର କରନ୍ତୁ। ଏଥିସହ ସେ ଅନ୍ତିମ ସଂସ୍କାର ପାଇଁ ୪୦ ହଜାର ଟଙ୍କାର ଏକ ଚେକ୍‌ରେ ଦସ୍ତଖସ୍ତ କରିଯାଇଛନ୍ତି।