ଚିଟଫଣ୍ଡ ଠକେଇ ମାମଲା: ଆଇଏଏସ ଅଫିସରଙ୍କ ଯୋଗୁ ଖୋଲିଲା ମନ୍ତ୍ରୀଙ୍କ ଗୁମର

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ବହୁ ଚର୍ଚ୍ଚିତ ବ୍ୟାଙ୍କ ଠକେଇ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇସଲାମ ବ୍ୟାଙ୍କ ନାମରେ ମହମ୍ମଦ ମନସୁର ଖାନ୍ ୩୦ ହଜାର ଲୋକଙ୍କୁ ଠକି ଦୁବାଇ ପଳାଇବାରେ ସକ୍ଷମ ହୋଇଛି। ପାଖାପାଖି ୩୦ ହଜାର ମୁସଲିମଙ୍କୁ ଦ୍ୱିଗୁଣ ଲାଭର ଆଶା ଦେଖାଇ ୧୭୦୦ କୋଟି ଟଙ୍କା ଲୁଟ୍ କରିବାରେ ମନସୁର ଖାନ ସମର୍ଥ ହୋଇଥିବା ଶୁକ୍ରବାର ଜାଣିବାକୁ ମିଳିଛି।

ଏବେ ଏହି ମନସୁରର ଚିଟଫଣ୍ଡ କମ୍ପାନୀକୁ କର୍ଣ୍ଣାଟକା ସରକାରର ଜଣେ ମନ୍ତ୍ରୀ ସହଯୋଗ କରୁଥିବାର ପ୍ରମାଣ ମିଳିଛି। ମହମ୍ମଦ ମନସୁରର ଚିଟଫଣ୍ଡ କମ୍ପାନୀ କ୍ଷତିରେ ଚାଲିଥିବାରୁ ଜଣେ ମନ୍ତ୍ରୀ ୬୦୦ କୋଟି ଟଙ୍କାର ବେଲ୍ ଆଉଟ ପ୍ୟାକେଜ(କମ୍ପାନୀ କ୍ଷତିରେ ଥିଲେ ସରକାରଙ୍କ ତରଫରୁ ଯେଉଁ ଆର୍ଥିକ ସହଯୋଗ କରାଯାଏ) ଦେବାକୁ ଚେଷ୍ଟା କରିଥିଲେ। ହେଲେ ଜଣେ ଆଇଏଏସ ଅଫିସର ଏହି ମାମଲା ସମ୍ପର୍କିତ କାଗଜପତ୍ରରେ ଦସ୍ତଖତ ନ କରିବାରୁ ଏବେ ସମସ୍ତ ଗୁମର ଖୋଲିବାରେ ଲାଗିଛି।

ଆଇଏଏସ ଅଫିସରଙ୍କ ଉପରେ ଦସ୍ତଖତ କରିବା ପାଇଁ ଅନେକ ଚାପ ପଡ଼ିଥିଲେ ମଧ୍ୟ ସେ ଦସ୍ତଖତ କରିନଥିଲେ। ସୂଚନାଯୋଗ୍ୟ ଯେ ମନସୁର ରମଜାନ ମାସ ଚାଲିଥିବା ବେଳେ ଜଣେ ମୁସଲିମ ନେତାଙ୍କ ମାଧ୍ୟମରେ କର୍ଣ୍ଣାଟକା ବିଧାନସଭାର ଜଣେ ନେତା ତଥା ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ସରକାରଙ୍କ ତରଫରୁ ବେଲ ଆଉଟ ପ୍ୟାକେଜ ଘୋଷଣା କରିବା ପାଇଁ ମନସୁର ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରିଥିଲା। ଏହାପରେ ସମ୍ପୃକ୍ତ ଆଇଏସଏସ ଅଫିସରଙ୍କ ଉପରେ ଚାପ ପକାଇଥିଲେ ମଧ୍ୟ ମନ୍ତ୍ରୀ ଜଣଙ୍କ ଆଇଏଏସ ଅଫିସରଙ୍କୁ ପ୍ରଭାବିତ କରିପାରିନଥିଲେ।

ତେବେ ଦି ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏହି ଖବରରେ ସମ୍ପୃକ୍ତ ଆଇଏଏସ ଅଫିସର ଯିଏକି ୬୦୦ କୋଟି ଡିଲର ଗୁମର ଖୋଲିଛନ୍ତି, ତାଙ୍କର କିମ୍ବା ଉକ୍ତ ମନ୍ତ୍ରୀଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ ।