ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଜିତିବା ପରେ କାଶ୍ମୀରରେ ହିଂସା

ଶ୍ରୀନଗର: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଟିମ୍‌ର ବିଜୟ ପରେ କାଶ୍ମୀରର କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ମାଡ଼ କରିବା ସହ ବାଣ ଫୋପାଡିଥିଲେ। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। କିନ୍ତୁ ହିଂସା  ନ ଥମିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପ୍ୟାଲେଟ୍ ଗନ୍ ଫୁଟା ଯାଇଥିଲା। ଏଥିରେ  ୬ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯିବା ସହ ଅଧିକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଭାରତୀୟ କ୍ରିକେଟ୍‌ ଟିମ୍‌ର ୱିକେଟ୍‌ ଗୋଟିଏ ପରେ ଗୋଟିଏ ଗଲା ପରେ  ଶ୍ରୀନଗର ସୌକିଦଫରରେ ଥିବା ସିଆରପିଏଫ୍ କ୍ୟାମ୍ପ୍‌ ଓ ପୋଲିସ୍ ଥାନା ଭିତରକୁ କିଛି ଯୁବକ ବାଣ ଫୋପାଡ଼ି ଥିଲେ।

ଏକ ସୂଚନାନୁସାରେ, ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଜିତିଲା ପରେ କାଶ୍ମୀର ବିଶ୍ୱବିଦ୍ୟାଳୟର ମହିଳା ହଷ୍ଟେଲରେ କିଛି ଛାତ୍ରୀ ସେଲିବ୍ରେସନ୍ କରିଥିବା ଜଣାପଡ଼ିଛି। ଘାଟିର ପ୍ରାୟ ସମସ୍ତ ଜିଲ୍ଲାରେ ବାଣ ଫୁଟା ଯାଇଥିଲା। ଏହାସହିତ ଜାମ୍ମୁ-କାଶ୍ମୀର, କିଶତୱାଡ ତଥା ଅନ୍ୟ ଅଞ୍ଚଳରେ ମଧ୍ୟ ବାଣ ଫୁଟା ଯାଇଥିଲା।