ବଦଳିଛି କଶ୍ମୀର ସ୍ଥିତି, ଆଲୋଚନା ପାଇଁ ହୁରିୟତ୍ ରାଜି

ଶ୍ରୀନଗର: “ଜମ୍ମୁ କଶ୍ମୀରରେ ସ୍ଥିତି ବଦଳିଛି। ପୂର୍ବରୁ ପଥର ମାଡ଼, ଶୁକ୍ରବାର ନମାଜ ପାଠ ପରେ ଦଙ୍ଗା ଭଳି ସ୍ଥିତି ଉପୁଜୁଥିଲା। ଏବେ କିନ୍ତୁ ଲୋକଙ୍କ ପାଖରେ ସକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି।” ଜମ୍ମୁ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ଗତକାଲି ରାଜଧାନୀ ଶ୍ରୀନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ।

ଶ୍ରୀ ମଲିକ କହିଛନ୍ତି ଗତବର୍ଷ ଯେତେବେଳେ ସେ ଜମ୍ମୁ କଶ୍ମୀରର ରାଜ୍ୟପାଳ ଦାୟିତ୍ୱ ନେଇଥିଲେ, ସେତେବେଳେ ସ୍ଥିତି ବେଶ ଅଲଗା ଥିଲା। ଏବେ କିନ୍ତୁ ତାହା ବଦଳି ଯାଇଛି। ପୂର୍ବରୁ ହୁରିୟତ୍ ନେତାଙ୍କ ସହ ଆଲୋଚନା ପାଇଁ ରାମ ବିଲାସ ପାଶଓ୍ୱନ ଆସିଥିଲେ। ହୁରିୟତ୍ ନେତା କିନ୍ତୁ ଘରର କବାଟ ଖୋଲୁନଥିଲେ। ଏବେ କିନ୍ତୁ ହୁରିୟତ୍ ନେତା ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଆହ୍ୱାନ କରୁଛନ୍ତି।

ସେହିପରି ଆତଙ୍କବାଦୀ ପ୍ରସଙ୍ଗରେ ସରକାର ବାରମ୍ୱାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି ପ୍ରସଙ୍ଗରେ ନିଜର ମତ ରଖିବାକୁ ଯାଇ ରାଜ୍ୟପାଳ କହିଛନ୍ତି ସାମ୍ନା ପଟୁ ଗୁଳି ଫୁଟିଲେ ତାଙ୍କୁ ଫୁଲତୋଡ଼ା ଦେବା ବଦଳରେ ଗୁଳି ଫୁଟାଇ ଉଚିତ୍ ଜବାବ ଦେବା ଦରକାର। ଏବେ କଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ଏକ ପ୍ରକାର ରୋକ ଲାଗିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ହୁରିୟତ୍ ନେତା ମିରାଓ୍ୱାଇଜ ଉମର ଫାରୁକ୍ ନିକଟରେ ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା କରିବା ଦରକାର ବୋଲି କହିଥିଲେ। ଜମ୍ମୁ କଶ୍ମୀରର ଉରିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକ୍ ସହ ଦ୍ୱିପାକ୍ଷିକ ଆଲୋଚନା ବନ୍ଦ ରହିଛି। କାରଣ ଭାରତ ପାକିସ୍ତାନ ସହ ଆଲୋଚନା ପାଇଁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆଲୋଚନା ଏକା ସାଙ୍ଗରେ ହୋଇ ପାରିବ ନାହିଁ।

ଗତବର୍ଷ ମାର୍ଚ୍ଚ ମାସରେ ଜମ୍ମୁ କଶ୍ମୀର ରାଜ୍ୟପାଳ ଭାବରେ ସତ୍ୟପାଲ ମଲିକ ନିଯୁକ୍ତି ପାଇଥିଲେ। ନିକଟରେ ସାଧାରଣ ନିର୍ବାଚନ ହୋଇଥିଲା। ସେହିସମୟରେ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶ ଲୋଡ଼ିଥିଲେ ନିର୍ବାଚନ କମିଶନ। ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ଭଲ ନଥିବାରୁ ରାଜ୍ୟପାଳ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ମନା କରିଦେଇଥିଲେ।

କିନ୍ତୁ ନିକଟରେ ନିର୍ବାଚନ କମିଶନ ପରୋକ୍ଷରେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହେବ।

ସୂଚନାଯୋଗ୍ୟ, ଜମ୍ମୁରେ ପିଡିପି ଓ ବିଜେପି ମିଳିତ ସରକାର ଚାଲିଥିଲା। ହେଲେ ବିଜେପି ମେଣ୍ଟରୁ ଓହରିଯିବା ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଏହାପରଠୁ ଏଯାଏ ରାଷ୍ଟ୍ରପତି ଶାସନ ଚାଲିଛି।