କଶ୍ମୀର ରାଜ୍ୟପାଳ ମଲିକଙ୍କ ବୟାନକୁ ନେଇ ବାକ୍‌ଯୁଦ୍ଧ

ଶ୍ରୀନଗର: ନିରୀହ ଲୋକଙ୍କୁ ହତ୍ୟା ନ କରି ଦେଶ ଓ ରାଜ୍ୟକୁ ଲୁଟ୍‌ କରିଥିବା ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀମାନେ ଗୁଳି କରିବା ଦରକାର ବୋଲି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ଦେଇଥିବା ବୟାନକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି।

ସତ୍ୟପାଲଙ୍କ ଏହି ବୟାନକୁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମାଲୋଚନା କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସତ୍ୟପାଲଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ଓମାର କହିଥିଲେ, “ରାଜ୍ୟପାଳ ସତ୍ୟପାଲଙ୍କ ମନ୍ତବ୍ୟକୁ ସମସ୍ତେ ମନେ ରଖିବା ଦରକାର। ଆଜିଠାରୁ ଯଦି କୌଣସି ରାଜନେତା, ସରକାରୀ କର୍ମଚାରୀ ପ୍ରାଣ ହରାନ୍ତି, ତା’ହେଲେ ଏଥିପାଇଁ ରାଜ୍ୟପାଳ ହିଁ ଦାୟୀ ରହିବେ। କାରଣ ସେ ହିଁ ଆତଙ୍କବାଦୀମାନଙ୍କୁ ହତ୍ୟାକାଣ୍ଡ ଘଟାଇବାକୁ କହିଛନ୍ତି।”

ତେବେ ଓମାରଙ୍କ ଏଭଳି ବୟାନକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛନ୍ତି ସତ୍ୟପାଲ। ସେ କହିଛନ୍ତି, “ଓମାର ହେଉଛନ୍ତି ରାଜନୀତିରେ ନାବାଳକ। ସେ ସବୁ କଥାରେ ଟ୍ୱିଟ କରନ୍ତି। ଆପଣମାନେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଗଲେ, ଏସବୁ କଥା ଜାଣିପାରିବେ। ତାଙ୍କ ବିଷୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ପଚାରି ପାରିବେ।”

ଉଲ୍ଲେଖଯୋଗ୍ୟ, ରାଜ୍ୟପାଳ ଶ୍ରୀ ମଲିକ ତାଙ୍କର ପୂର୍ବୋକ୍ତ ବୟାନ ପ୍ରତ୍ୟାହାର କରିନେଇଛନ୍ତି। କ୍ରୋଧ ଓ ନିରାଶା ଯୋଗୁ ତାଙ୍କ ମୁହଁରୁ ଏଭଳି କଥା ବାହାରି ଯାଇଥିବାରୁ ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି।