୨୩ ବର୍ଷ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ଜେଲରୁ ମୁକୁଳିଲେ, ଘରକୁ ଫେରିଲା ବେଳକୁ କେହି ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଲାଜପତ ନଗରରେ ୧୯୯୬ ମସିହାରେ ଘଟିଥିବା ବୋମା ବିସ୍ଫୋରଣ ମାମଲାରେ ୨୩ ବର୍ଷ ଧରି ଜେଲରେ ରହିବା ପରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ୩ ଅଭିଯୁକ୍ତ। ଏମାନଙ୍କ ମଧ୍ୟରେ ଶ୍ରୀନଗରର ମହମ୍ମଦ ଅଲ୍ଲୀ ଭଟ୍ଟ ଅନ୍ୟତମ। ୨୩ ବର୍ଷ ପରେ ଭଟ୍ଟ ଘରକୁ ଫେରିଲା ବେଳକୁ ଘରେ ଆଉ କେହି ନାହାନ୍ତି।

ସୂଚନା ଅନୁଯାୟୀ, ମହମ୍ମଦ ଅଲ୍ଲୀ ଭଟ୍ଟ, ଲତିଫ ଅହମଦ୍ ଓ୍ୱାଜା ଏବଂ ମିର୍ଜା ନିସାର ହୁସେନ ୧୯୯୬ ମସିହାରେ ଦିଲ୍ଲୀ ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ଗିରଫ ହୋଇଥିଲେ। ଯେଉଁ ସମୟରେ ମହମ୍ମଦ ଅଲ୍ଲୀ ଭଟ୍ଟ ଗିରଫ ହୋଇଥିଲେ, ସେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା। କିଛି ବର୍ଷ ପରେ ରାଜସ୍ଥାନ ପୁଲିସ୍ ଏହି ତିନି ଜଣ ଅଭିଯୁକ୍ତଙ୍କୁ ଅନ୍ୟ ଏକ ମାମଲାରେ ଯୋଡ଼ିଥିଲା।

ଏହାପରେ ଦିଲ୍ଲୀ ହାଇକୋର୍ଟ ଏହିଁ ତିନି ଅଭିଯୁକ୍ତଙ୍କୁ ନଭେମ୍ୱର ୨୦୧୨ରେ ଲାଜପତ ନଗର ମାମଲାରେ ଦୋଷମୁକ୍ତ କରିଥିଲେ। ହେଲେ ରାଜସ୍ଥାନ ହାଇକୋର୍ଟରେ ମାମଲା ପଡ଼ି ରହିଥିବାରୁ ନ୍ୟାୟ ପ୍ରକ୍ରିୟା ବିଳମ୍ୱ ହୋଇଥିଲା। ଶେଷରେ ଚଳିତ ସପ୍ତାହରେ ରାଜସ୍ଥାନ ହାଇକୋର୍ଟ ଏହି ତିନି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଜେଲରୁ ମୁକିଳିବା ପରେ ମହମ୍ମଦ ଅଲ୍ଲୀ ଭଟ୍ଟ ନିଜ ଘର ଶ୍ରୀନଗରକୁ ଫେରିଥିଲେ। ତେବେ ଘରକୁ ଫେରିବା ବେଳକୁ ତାଙ୍କୁ ସ୍ୱାଗତ କରିବା ପାଇଁ କେହି ନଥିଲେ। କାରଣ ୨୦୦୨ରେ ଭଟ୍ଟଙ୍କ ମାଙ୍କର ଦେହାନ୍ତ ହୋଇଥିବା ବେଳେ ୨୦୧୫ରେ ତାଙ୍କ ବାପା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହା ଦେଖି ମହମ୍ମଦ ତାଙ୍କ ବାପା ମାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ। ପରେ ତାଙ୍କ ବାପା ମା’ଙ୍କୁ କବର ଦିଆଯାଇଥିବା କବରସ୍ଥାନରେ ବସି ରହିଥିଲେ। ବିନା ଦୋଷରେ ଅଧା ଜୀବନ ଜେଲରେ କଟିଗଲା। ସେ ଏବେ କିଭଳି ଆଗକୁ ବଢ଼ିବେ ଏହାକୁ ଭାବି ଭାବି ସେ ଭାଙ୍ଗି ପଡ଼ିଛନ୍ତି ବୋଲି କହିଛନ୍ତି ମହମ୍ମଦ ଅଲ୍ଲୀ ଭଟ୍ଟ।