ଆତଙ୍କବାଦୀଙ୍କୁ କାଶ୍ମୀରୀ ଯୁବକଯୁବତୀଙ୍କ ବେଖାତିର; ୭୦୦ ପୋଲିସ୍ ପଦବୀ ପାଇଁ ଆବେଦନ କରିଛନ୍ତି ୬୭,୦୦୦

ଶ୍ରୀନଗର: ଚାରି ଦିନ ତଳେ ଜମ୍ମୁ ଓ କାଶ୍ମୀରର ସୋପିଆନରେ ଆତଙ୍କବାଦୀମାନେ ଜଣେ ଯୁବ ସେନା ଅଧିକାରୀ ଉମର ଫୟାଜ (୨୨)ଙ୍କୁ ହତ୍ୟା କରିଥିଲେ। ଉମରଙ୍କୁ ହତ୍ୟା କରିବା ପଛରେ ଆତଙ୍କବାଦୀଙ୍କର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥିଲା। ପୋଲିସ୍ ଅବା ସେନା ବାହିନୀରେ ଯୋଗ ନ ଦେବା ପାଇଁ ଏହା ଥିଲା କାଶ୍ମୀରୀ ଯୁବକଯୁବତୀଙ୍କୁ ସେମାନଙ୍କ ଚେତାବନୀ। ତେବେ ଆତଙ୍କବାଦୀମାନେ ନିଜ ଲକ୍ଷ୍ୟରେ ସଫଳ ହୋଇ ନାହାନ୍ତି। ସେମାନଙ୍କର ଏହି ଚେତାବନୀକୁ ଡରି ନାହାନ୍ତି କାଶ୍ମୀରୀ ଯୁବକଯୁବତୀ। ଗତକାଲି ଶ୍ରୀନଗରର ବକ୍ସି ଷ୍ଟାଡିୟମ୍‌ରେ ଯୁବକଯୁବତୀଙ୍କର ଯେଭଳି ଭିଡ଼ ଲାଗିଥିଲା ସେଥିରୁ ଏହା ପ୍ରମାଣିତ ହୋଇଛି। ଜମ୍ମୁ ଓ କାଶ୍ମୀର ପୋଲିସ୍‌ରେ ସବ୍‌-ଇନ୍‌ସ୍‌ପେକ୍ଟର ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଦେବାକୁ ପ୍ରାୟ ୨୦୦୦ ଯୁବକଯୁବତୀ ଭିଡ଼ ଜମାଇ ଥିଲେ।

ସୁରକ୍ଷା ବାହିନୀରେ ଯୋଗ ନ ଦେବା ପାଇଁ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ଭିଡିଓ ଜାରି କରୁ ଥିବା ସତ୍ତ୍ୱେ ରାଜ୍ୟର ଯୁବକଯୁବତୀମାନେ ଏହାକୁ ଖାତିର କରୁ ନାହାନ୍ତି। ରାଜ୍ୟ ପୋଲିସ୍‌ରେ ବାହାରିଥିବା ମୋଟ୍ ୬୯୮ଟି ସବ୍‌ ଇନ୍‌ସ୍‌ପେକ୍ଟର ପଦବୀ ପାଇଁ ମୋଟ ୬୭,୨୧୮ ଜଣ ଆବେଦନ କରିଛନ୍ତି। ସେଥିମଧ୍ୟରେ ୩୫,୭୨୨ ଜମ୍ମୁ ଅଞ୍ଚଳର ଆଶାୟୀ ଥିବା ବେଳେ କାଶ୍ମୀର ଅଞ୍ଚଳର ୩୧,୪୯୬ ଆଶାୟୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୬୦୦୦ରୁ ଅଧିକ ଯୁବତୀ ମଧ୍ୟ ଅଛନ୍ତି।

ନ୍ୟୁଜ୍‌ ଓ ଫଟୋ ସୌଜନ୍ୟ- ଟାଇମ୍ସ ଅଫ୍ ଇଣ୍ଡିଆ