କାଠୁଆ ଗଣଦୁଷ୍କର୍ମକୁ ନେଇ ଜାମ୍ମୁ କାଶ୍ମୀର ସରକାରରେ  ଅସ୍ଥିରତା

ଜମ୍ମୁ: ଜାମ୍ମୁ ଓ କାଶ୍ମୀର କାଠୁଆ ଗଣ ଦୁଷ୍କର୍ମ ମାମଲାରେ ଦୁଇ ବିଜେପି ମନ୍ତ୍ରୀ ଲାଲ ସିଂ ଓ ଚନ୍ଦର ପ୍ରକାଶ ଗଙ୍ଗାଙ୍କ ଇସ୍ତଫା ପତ୍ରକୁ ରାଜ୍ୟ ବିଜେପି ସଭାପତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କ ନିକଟକୁ ପଠାଇବେ। ମୁଖ୍ୟମନ୍ତ୍ରୀ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଆଜି ଶ୍ରୀନଗରରେ ବିଜେପି ନେତାଙ୍କ ସହ ବୈଠକ ପରେ କହିଛନ୍ତି ଜାମ୍ମୁ କାଶ୍ମୀର ବିଜେପି ପ୍ରଭାରୀ ରାମ ମାଧବ । ଅଭିଯୁକ୍ତଙ୍କ ସପକ୍ଷରେ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ବିରୋଧରେ ରାଲି କରିଥିବା ନେଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ରହିଛି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ଇସ୍ତଫା ଦେବା ପାଇଁ ବାରମ୍ବାର ଚାପ ପକାଇବା ପରେ ଉଭୟେ ଇସ୍ତଫା ଦେଇଥିଲେ।

କାଠୁଆ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଲାଗି ଦାବି କରିବେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ରାମଲିଙ୍ଗମ୍ ସୁଧାକରଙ୍କୁ ସେ ଏଥିପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି । ମାତ୍ର ୩ ମାସ ଭିତରେ ଶୁଣାଣି କରିବାକୁ ସେ ଅନୁରୋଧ କରିବେ ବୋଲି କହିଛନ୍ତି।  କାଠୁଆରେ ୮ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍ମର୍ମ ମାମଲାରେ ସାରା ଦେଶରେ ପ୍ରତିବାଦ ହେଉଛି। ଏଥିସହ ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍ ଆଣିବେ ବୋଲି ମଧ୍ୟ ପୂର୍ବରୁ କହିଥିଲେ ମେହବୁବା।

କେବଳ ବିଜେପି ନୁହେଁ, କାଠୁଆ ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିବା ଅଭିଯୋଗ ଆସିଛି । ହେଲେ ଏହାକୁ ଖଣ୍ଡନ କରିଛନ୍ତି ଜାମ୍ମୁ କାଶ୍ମୀରର ପିସିସି ସଭାପତି ଗୁଲାମ ଅହମଦ ମୀର।  ସେ କହିଛନ୍ତି, କଂଗ୍ରେସ ଆରମ୍ଭରୁ ପୀଡ଼ିତାଙ୍କ ସମର୍ଥନରେ ଅଛି । ଏବଂ ଦୋଷୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛି । ସେପଟେ ନ୍ୟାସନାଲ ପାନ୍ଥର୍ସ ପାର୍ଟିର ନେତା ଭୀମ ସିଂହ ଆଶା କରିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ମିଳିବ।