କାଠୁଆ ଗଣଦୁଷ୍କର୍ମ ହତ୍ୟା ମାମଲା ନେଇ କ’ଣ ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ, ଜାଣନ୍ତୁ

ନୂଆଦିଲ୍ଲୀ: କାଠୁଆ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଜମ୍ମୁ କାଶ୍ମୀର ସରକାରଙ୍କୁ  ନୋଟିସ୍ କରି ରାଜ୍ୟ ସରକାରଙ୍କ ଉତ୍ତର ମାଗିଛନ୍ତି ।  ରାଜ୍ୟ ସରକାର ଉତ୍ତର ଦେବା ପରେ ସୁପ୍ରିମକୋର୍ଟ ରାୟ  ଦେବେ।   ବର୍ତ୍ତମାନର ପରିସ୍ଥିତିକୁ ଦେଖି କାଠୁଆ ଓ ଜମ୍ମ୍ମୁରେ ଠିକ୍ ଭାବେ ବିଚାର ହୋଇପାରିବନି।   ତେଣୁ ମାମଲାକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ପୀଡ଼ିତାଙ୍କ ପରିବାର ଆବେଦନ କରିଥିଲେ।   ଏହା ସହିତ ସେମାନଙ୍କୁ ଏବଂ ଓକିଲଙ୍କ ସୁରକ୍ଷା ଯୋଗାଇ ଦେବାକୁ  ଅନୁରୋଧ କରିଥିଲେ।   ତେବେ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।    ଅନ୍ୟପକ୍ଷରେ କାଠୁଆ ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି  ଏପ୍ରିଲ ୨୮କୁ ଘୁଞ୍ଚିଛି।

ଆଜିଠାରୁ କାଠୁଆ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା ।  ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ।   ଚାର୍ଜସିଟର ନକଲ ସମସ୍ତ ୮ ଅଭିଯୁକ୍ତଙ୍କୁ ଦେବା ଲାଗି  କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା’ ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି ।   ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ  ଓକିଲଙ୍କୁ ନିଯୁକ୍ତ କରିଛନ୍ତି।   ଏହି ଅଞ୍ଚଳରୁ ବକରଓ୍ୱଲ ମୁସଲିମଙ୍କୁ  ତଡ଼ିବା ଲାଗି ଏହି ଗଣଦୁଷ୍କର୍ମର ଷଡ଼ଯନ୍ତ୍ର କରାଯାଇଥିବା ପୋଲିସ ଚାର୍ଜସିଟରେ ଦର୍ଶାଇଛି।