କବିନ୍ଦର ଗୁପ୍ତା ହେଲେ ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ରାଜନୈତିକ ଅଦଳବଦଳ ହୋଇଛି। ନିର୍ମଳ ସିଂଙ୍କ ସ୍ଥାନରେ କବିନ୍ଦର ଗୁପ୍ତା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବରୁ ସେ ବାଚସ୍ପତି ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟପାଳ ଏନ୍. ଏନ୍. ଭୋରା କବିନ୍ଦରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।  କବିନ୍ଦରଙ୍କ ସମେତ ଜମ୍ମୁ-କାଶ୍ମୀରରେ ୪ ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।

କଠୁଆ ବିଧାୟକ ରାଜୀବ ଜସରୋଟିଆ, ପୁଲୱାମା ବିଧାୟକ ମହମ୍ମଦ ଖଲିଲ ବନ୍ଦ , ଶକ୍ତି ପରିହାର, ଶତ ଶର୍ମା ଓ ମହମ୍ମଦ ଅଶରଫ୍ ମୀର ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

କବିନ୍ଦର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ବରିଷ୍ଠ ପ୍ରଚାରକ। ଆଜି ସେ ଶପଥ ନେବା ପରେ କଠୁଆ ଗଣଦୁଷ୍କର୍ମର ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପ୍ରାଥମିକତା ହେବ ବୋଲି କହିଛନ୍ତି।

କଠୁଆ ଗଣଦୁଷ୍କର୍ମ ଘଟଣା ପରେ ଜମ୍ମୁ କାଶ୍ମୀର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ବିଜେପି ଓ ପିଡିପି ମଧ୍ୟରେ ମତଭେଦ ଦେଖାଦେଇଛି। ବିଜେପିର କିଛି ମନ୍ତ୍ରୀଙ୍କୁ ମଧ୍ୟ ମେହବୁବା ମୁଫତି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡିଥିଲା। କଠୁଆ ମାମଲା ପରେ ବିଜେପିର ଏହି ପଦକ୍ଷେପକୁ ଡ୍ୟାମେଜ କଣ୍ଟ୍ରୋଲ ବୋଲି କୁହାଯାଉଛି।