ରାହୁଲଙ୍କ ‘ପିଏମ୍‌’ ସ୍ୱପ୍ନରେ କେସିଆର୍ କଣ୍ଟା

ହାଇଦ୍ରାବାଦ୍‌: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‌) ପକ୍ଷରୁ ଆଜି ସ୍ପଷ୍ଟ କରିଦିଆଯାଇଛି ଯେ ଦଳର ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱରେ ଫେଡେରାଲ ଫ୍ରଣ୍ଟ କଂଗ୍ରେସଠାରୁ ସମର୍ଥନ ନେଇପାରେ କିନ୍ତୁ ତା ହାତରେ ନେତୃତ୍ୱର ଲଗାମ ଦିଆଯିବନି। ଅର୍ଥାତ ଫେଡେରାଲ ଫ୍ରଣ୍ଟ ଭୁଲରେ ବି ପ୍ରଧାନମନ୍ତ୍ରୀ ହେବାକୁ ଗୋଡ଼ ଲମ୍ବାଇ ବସିଥିବା ରାହୁଲଙ୍କୁ ଏହାର ଡ୍ରାଇଭର ଆସନ ଦେବନି ବୋଲି ସ୍ପଷ୍ଟ କରିଦିଆଯାଇଛି।

ବର୍ଷେ ହେବ ରାଓ ଏକ ଅଣ ବିଜେପି ଏବଂ ଅଣ କଂଗ୍ରେସ ମେଣ୍ଟର ପରିକଳ୍ପନା କରି ଆଞ୍ଚଳିକ ଦଳମାନଙ୍କୁ ଏକାଠି କରିବାର ପ୍ରୟାସ କରି ଆସୁଛନ୍ତି। କେସିଆର ପୂର୍ବରୁ ମଧ୍ୟ କହିସାରିଛନ୍ତି ଡ୍ରାଇଭର ଆସନରେ କେବଳ ମେଣ୍ଟରୁ କେହି ବସିବ ଓ ଆଞ୍ଚଳିକ ଦଳମାନେ ହିଁ ଏହାର ନେତୃତ୍ୱ ନେବେ। ଯଦି ସରକାର ଗଠନ ପାଇଁ ଆସନ ସଂଖ୍ୟା କମ୍‌ ପଡ଼େ ତା’ହେଲେ କଂଗ୍ରେସ ବାହାରୁ ସମର୍ଥନ ଦେବାର ବିକଳ୍ପ କଥା ଚିନ୍ତା କରାଯାଇପାରିବ।

ଟିଆରଏସ୍‌ ପକ୍ଷରୁ ମୁଖପାତ୍ର ଆବିଦ୍‌ ରସୁଲ୍‌ ଖାନ୍‌ କହିଛନ୍ତି, “ଆମେ ଖୋଲାଖୋଲି କହୁଛୁ ଆଞ୍ଚଳିକ ଦଳ ହିଁ ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ପଦ ଫେଡେରାଲ ଫ୍ରଣ୍ଟର ଜଣେ ସଦସ୍ୟଙ୍କୁ ହିଁ ମିଳିବ। ସର୍ବସମ୍ମତି କ୍ରମେ ଏହି ପଦ ପାଇଁ ଜଣେ ବ୍ୟକ୍ତି ବଛାହେବେ। ଆମେ କଂଗ୍ରେସ ସହ ଆଲୋଚନା କରିବା ପାଇଁ ରାଜି ଅଛୁ, କିନ୍ତୁ ଆଲୋଚନା ସେପର୍ଯ୍ୟନ୍ତ ହେବ ଯେପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ୱ ଉପରେ ଆଖି ପକାଇନାହିଁ।”

ତେବେ ସେ ବିଜେପି ବାବଦରେ କହିଛନ୍ତି, ଆମେ ବିଜେପି ସହିତ କୌଣସି ଉପାୟରେ ଯୋଡ଼ିହେବାର ନାହିଁ। ନା ଆମେ ତାଙ୍କୁ ସମର୍ଥନ କରିବୁ ନା ତାଙ୍କଠାରୁ ସମର୍ଥନ ନେବୁ। ଫେଡେରାଲ ଫ୍ରଣ୍ଟ ପାଇଁ କେସିଆରଙ୍କ ସହିତ ଆଲୋଚନାରେ ଥିବା ବିଭିନ୍ନ ଦଳଙ୍କର ମଧ୍ୟ ସମାନ ମତ ରହିଛି। ଆବିଦ୍‌ ରସୁଲ୍‌ ଖାନ୍‌ କହିଛନ୍ତି, ସାଧାରଣ ନିର୍ବାଚନରେ ଏସ୍‌ପି, ବିଏସ୍‌ପି, ୱାଇଏସ୍‌ଆର କଂଗ୍ରେସ, ଡିଏମ୍‌କେ ଏବଂ ଟିଆରଏସ୍‌ ଭଲ କରିବେ। କଂଗ୍ରେସର ଆସନ ସଂଖ୍ୟା ୧୦୦ ଉପରକୁ ଯିବନି।