କେଜ୍ରିୱାଲ ସରକାରଙ୍କ ସାଧାରଣ ପାଣ୍ଠି ଦୁରୁପଯୋଗ ମାମଲା ୩ ଜଣିଆ କମିଟି ପାଖକୁ ଗଲା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲ ସରକାର ଉପରେ ଲାଗିଥିବା ସାଧାରଣ ପାଣ୍ଠି ଦୁରୁପଯୋଗ ଅଭିଯୋଗ ମାମଲାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ୩ ଜଣିଆ କମିଟି ପାଖକୁ ପଠାଇ ଦିଆଯାଇଛି। କେଜ୍ରିୱାଲ ସରକାର ଏହି ପାଣ୍ଠିର ଦୁରୁପଯୋଗ କରିଛି କି ନାହିଁ ତାହା କମିଟି ୪ରୁ ୬ ସପ୍ତାହ ମଧ୍ୟରେ ସ୍ଥିର କରିବ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଗତ ଏପ୍ରିଲରେ କେନ୍ଦ୍ର ସରକାର ଏହି କମିଟି ଗଠନ କରିଥିଲେ। ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କ ସାଧାରଣ ପାଣ୍ଠି ଦୁରୁପଯୋଗ ଉପରେ ଏହି କମିଟି ନଜର ରଖିବ।

କେଜ୍ରିୱାଲ ସରକାର ସାଧାରଣ ପାଣ୍ଠି ଦୁରୁପଯୋଗ କରି ବିଜ୍ଞାପନ ଦେଖାଉଥିବା ଅଭିଯୋଗ କରି କଂଗ୍ରେସ ନେତା ଅଜୟ ମାକନ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ ସରକାରୀ ଖର୍ଚ୍ଚରେ କେଜ୍ରିୱାଲ ସରକାର ଦିଲ୍ଲୀ ବାହାରେ ଆମ୍‌ ଆଦମୀ ପାର୍ଟିର ପ୍ରଚାର କରିବାକୁ ଉଦ୍ୟମ କରୁଛନ୍ତି। ସେ ଆହୁରି କହିଥିଲେ ଦେଶର ବିଭିନ୍ନ ସ୍ଥାନରେ ହେବାକୁ ଥିବା ନିର୍ବାଚନରେ ନିଜ ଦଳକୁ ସୁଦୃଢ କରିବାକୁ କେଜ୍ରିୱାଲ ସରକାରୀ ଅର୍ଥ ବ୍ୟବହାର କରୁଛନ୍ତି।

ମାକନ ତାଙ୍କ ଆବେଦନରେ ଆହୁରି ଅଭିଯୋଗ କରିଛନ୍ତି ଯେ ଗୋଆ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ଏହି ବିଜ୍ଞାପନ ଦିଆଯାଇ ଦିଲ୍ଲୀରେ ତାଙ୍କ (କେଜ୍ରିୱାଲ) ସରକାର ମାଗଣା ପାଣି ଦେଇଥିବା ଉଲ୍ଲେଖ କରାଯାଉଛି। ଏହାସହ ବିଦ୍ୟୁତ୍‌ ଦେୟ କମ କରାଯାଇଥିବା ବିଜ୍ଞାପନରେ ଦର୍ଶା ଯାଉଛି। ଏହି ବିଜ୍ଞାପନ ଦିଲ୍ଲୀ ପାଇଁ ଠିକ୍‌ ଅଛି, ମାତ୍ର ତାମିଲନାଡ଼ୁର ଲୋକେ ହିନ୍ଦୀ ଜାଣି ନ ଥିବା ବେଳେ ସେଠାରେ ଏହି ବିଜ୍ଞାପନ ଦିଆଯିବାର ଅର୍ଥ କ’ଣ ବୋଲି ଆବେଦନରେ ପ୍ରଶ୍ନ କରାଯାଇଛି। ଦିଲ୍ଲୀ ସରକାର ନୁହେଁ ଆପ୍‌ ପକ୍ଷରୁ ଏହି ବିଜ୍ଞାପନ ଦିଆଯାଉଛି ଓ ଦିଲ୍ଲୀ ସରକାର ଏହାର ଖର୍ଚ୍ଚ ବହନ କରୁଛନ୍ତି ବୋଲି ମାକନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି।