ଆପ୍‌ରେ ଥମୁନି କନ୍ଦଳ : କେଜ୍ରିୱାଲଙ୍କ ବିରୋଧରେ ବଢୁଛି ଦୁର୍ନୀତିର ଫର୍ଦ୍ଦ

ନୂଆଦିଲ୍ଲୀ: ଆମ୍‌ଆଦମୀ ପାର୍ଟି (ଆପ୍‌)ରେ  ତେଜୁଛି କନ୍ଦଳ।  ଦଳର ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବଢୁଛି ଦୁର୍ନୀତୀର ଫର୍ଦ୍ଦ।  ଆପ୍‌ରୁ ବହିସ୍କାର ହୋଇଥିବା ମନ୍ତ୍ରୀ କପିଲ୍‌ ମିଶ୍ରା କେଜ୍ରିୱାଲଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣିବା ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏହି କ୍ରମରେ ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ଆସିଛି ଆଉ ଏକ ସଙ୍ଗିନ ଅଭିଯୋଗ । ଦଳରୁ ବିଦା ହୋଥିବା କପିଲ୍‌ ମିଶ୍ରା କହିଛନ୍ତି ଯେ, ଦିଲ୍ଲୀର ଛତରପୁର ଫାର୍ମ ହାଉସ୍‌ ପାଇଁ ୫୦ କୋଟି ଟଙ୍କାର ଡିଲ୍‌ ହୋଥିବା ବେଳେ ଏହା ପଛରେ କେଜ୍ରିୱାଲଙ୍କ ସମ୍ପୃକ୍ତି ରହିଛି। ମିଶ୍ରାଙ୍କ କହିବା ଅନୁଯାୟୀ କେଜ୍ରିୱାଲଙ୍କ ଜଣେ ସମ୍ପର୍କୟଙ୍କୁ ଏହି ଫାର୍ମ ହାଉସ୍‌ କରେଇଦେବା ପାଇଁ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ‌ଅହେତୁକ ଅନୁକମ୍ପା ଦେଖାଇଛନ୍ତି।

ଏଥିପାଇଁ ୫୦ କୋଟି ଟଙ୍କା କାରବାର  ହୋଇଥିବା ସେ ଅଭିଯୋଗ ଆଣିଛନ୍ତି।  ଏ ସମ୍ପର୍କରେ ସିବିଆଇ ତଦନ୍ତ ପାଇଁ ସେ ଦାବି କରିବେ ବୋଲି କହିଛନ୍ତି।  କେଜ୍ରିୱାଲଙ୍କ ଶାଳକ ବନ୍ସଲ୍‌ ପରିବାରକୁ ଏହି ଅନୁକମ୍ପା ଦେଖାଯାଇଛି। ଫାର୍ମ ହାଉସ ପାଇଁ ୭ ଏକ୍‌ର ଜମି ଡିଲ୍ ହୋଇଥିବା ମିଶ୍ରା  ଅଭିଯୋଗ ଆଣିଛନ୍ତି। ଏଥିପାଇଁ ପ୍ରଶାସନକୁ ହାତବାରିସ କରି ସବୁପ୍ରକାର ବେଆଇନ କାମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ କେଜ୍ରିୱାଲଙ୍କ ବିରୋଧରେ ୨ କୋଟିର ଲାଞ୍ଚକାରବାର  ଅଭିଯୋଗ ଆଣି ଗତସପ୍ତାହରେ ଚର୍ଚ୍ଚାର ପରିସରକୁ ଆସିଥିଲେ ମିଶ୍ରା। ପରିଣାମସୂରୁପ ତାଙ୍କୁ ଦଳରୁ ଗତ ଶନିବାର ବହିସ୍କାର କରାଯାଇଥିଲା। ସେହିପରି ପୂର୍ବରୁ ଦିଲ୍ଲୀର ୪୦୦ କୋଟି ଟଙ୍କାର ଟ୍ୟାଙ୍କର୍‌ ସ୍କାମରେ କେଜ୍ରିୱାଲ୍‌ ତଦନ୍ତ ପାଇଁ ପଛଘୁଞ୍ଚା ଦେଇଥିବା ମିଶ୍ରା ଅଭିଯୋଗ ଆଣିଥିଲେ।