କେଜ୍ରିୱାଲଙ୍କ ଝାଡ଼ୁ ଛିଡ଼ିଗଲା : କେନ୍ଦ୍ରକୁ ଟାର୍ଗେଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଲଜ୍ଜାକର ସ୍ଥିତି।  ଲାଭଜନକ ପଦବୀ ପ୍ରସଙ୍ଗରେ ଦଳର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏନେଇ ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି।  ତେବେ ଦଳକୁ ପକ୍ଷ ରଖିବା ଲାଗି ସୁଯୋଗ ଦିଆଯାଇ ନ ଥିବା ଆପ୍ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ୍ ମଧ୍ୟ କେନ୍ଦ୍ରକୁ ଟାର୍ଗେଟ୍  କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ରୋକିବା ଲାଗି ବିଜେପି ଓ ନିର୍ବାଚନ କମିଶନଙ୍କ ସଲାସୁତରାରେ ୩ ସପ୍ତାହ ପରେ ନିଷ୍ପତ୍ତି ଘୋଷଣା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ।  ଦୁର୍ନୀତି ବିରୋଧୀ ଲଢେଇ ଜରିଆରେ ରାଜନୀତିକୁ ଆସିଥିବା ଆମ୍ ଆଦ୍‌ମୀ ପାର୍ଟିକୁ ବଡ଼ ଝଟ୍‌କା।

ଲାଭଜନକ ପଦବୀ ପ୍ରସଙ୍ଗକୁ ନେଇ ଦଳର ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଲାଗି ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ତେବେ ଏହାସତ୍ତ୍ୱେ ଦିଲ୍ଳୀ ଆପ୍ ସରକାରକୁ ବିପଦ ନାହିଁ ।  ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୭ଜଣ ବିଧାୟକ ଅଛନ୍ତି ।  ତେଣୁ ୨୦ ଜଣ ଅଯୋଗ୍ୟ ହେଲେ ମଧ୍ୟ ସରକାର ଭାଙ୍ଗିବା ଭୟ ନାହିଁ ।  ସେପଟେ ବିଧାୟକ ଅଯୋଗ୍ୟ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛି ଆପ୍ । ଦଳକୁ ପକ୍ଷ ରଖିବାକୁ ସୁଯୋଗ ଦିଆ ଯାଇନାହିଁ ଓ ଦଳ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯିବ ବୋଲି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋପାଲ ରାୟ କହିଛନ୍ତି। …

ସେପଟେ ଆପ୍ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣାରେ ବିଳମ୍ବ କରାଯାଇଥିବା ଦର୍ଶାଇ ନିର୍ବାଚନ କମିଶନ ଓ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଡିସେମ୍ବର ୨୨ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ରୋକିବାକୁ କାରସାଦି କରାଯାଇଥିବା ଦଳ ଅଭିଯୋଗ କରିଛି । ନିଷ୍ପତ୍ତିକୁ ୩ ସପ୍ତାହ ଘୁଞ୍ଚାଇ ବିଜେପି ଓ ନିର୍ବାଚନ କମିଶନ ଆପ୍‌କୁ ସହାୟତା କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଅଜୟ ମାକନ୍।

ଦିଲ୍ଲୀର ୨୦ଜଣ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଲାମେଣ୍ଟାରି ସେକ୍ରେଟାରୀ ଭାବେ ନିଯୁକ୍ତି ଦେଇଥିଲେ।  ତେବେ ଏହା ଅଫିସ୍ ଅଫ୍ ପ୍ରଫିଟ୍ ନିୟମାବଳୀର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ନିର୍ବାଚନ କମିଶନଙ୍କ  ନିକଟରେ ଦ୍ୱାରସ୍ଥ ହୋଇଥିଲେ କଂଗ୍ରେସ ଓ ବିଜେପି । ତେବେ ଏହି ପଦ ଲାଗି ବିଧାୟକମାନେ କୌଣସି ସରକାରୀ ସୁବିଧା କିମ୍ବା ଦରମା ପାଉ ନ ଥିବା ଆପ୍‌  ଯୁକ୍ତି ଦର୍ଶାଇଥିଲା।  ମାତ୍ର ନିର୍ବାଚନ କମିଶନ ଏହାକୁ ଖାରଜ କରିଦେବା ସହ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ।